ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଶୂନ । କୋଭିଡ୍ ମୁକ୍ତ ହେଲେ ରାଜ୍ୟର ଦୁଇ ଜିଲ୍ଲା

99

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏକ ଜିଲ୍ଲା କରୋନା ଶୂନ୍ୟ ହୋଇଛି । ଏଥିସହ ରାଜ୍ୟରେ କୋଭିଡ୍ ଶୂନ୍ୟ ଜିଲ୍ଲାଙ୍କ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ଏବେ ନବରଙ୍ଗପୁର ସହ କନ୍ଧମାଳ ଜିଲ୍ଲା ବି କୋଭିଡ୍ ଶୂନ୍ୟ ହୋଇଛି ।

ନବରଙ୍ଗପୁର ଜିଲ୍ଲାରୁ ଏବେ ସୁଦ୍ଧା ମୋଟ ୫୮୨୫ ଜଣ କୋଭିଡ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ୫୮୦୯ ଜଣ ସୁସ୍ଥ ହୋଇସାରିଛନ୍ତି । ଜିଲ୍ଲାରେ ଏଯାବତ କୋଭିଡ୍ଜନିତ ମୃତ୍ୟୁ ୧୪ ଥିବାବେଳେ ଅଣ କୋଭିଡ୍ ମୃତ୍ୟୁ ୨ ଅଛି । ଖୁସିର କଥା ହେଉଛି ତାଜା ରିପୋର୍ଟ ଅନୁସାରେ ଜିଲ୍ଲାରେ ଏବେ କୌଣସି ସକ୍ରିୟ ସଂକ୍ରମିତ ନାହାନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାରୁ ଏବେ ସୁଦ୍ଧା ୫୯୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫୯୧୧ ଜଣ ସୁସ୍ଥ ହୋଇସାରିଲେଣି । ଜିଲ୍ଲାରେ ଏବେ କୌଣସି ସକ୍ରିୟ ସଂକ୍ରମିତ ନଥିବା ରାଜ୍ୟ ସରକାରଙ୍କ ତରଫରୁ କୋଭିଡ୍ ଡ୍ୟାସବୋର୍ଡରେ ଉଲ୍ଲେଖ କରାଯାଇଛି । ଯାହା ଦୁଇ ଜିଲ୍ଲାର ଲୋକଙ୍କୁ ଆଶ୍ୱସ୍ତ କରିଛି । ଆଜି ସୁଦ୍ଧା ରାଜ୍ୟରୁ ୩,୩୫,୩୬୯ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ୩,୩୨,୬୧୧ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ଏବେ ମାତ୍ର ୭୯୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।