କନକ ବ୍ୟୁରୋ : ଖରିଫ୍ ଧାନ କିଣିବାକୁ ସରକାରୀ ଧାନ ମଣ୍ଡି ଖୋଲି ନଥିବାରୁ ଗାଁ ଗାଁରେ ବୁଲି ବେପାର ମେଲାଇଛନ୍ତି ଆନ୍ଧ୍ର ଧାନ ବେପାରୀ ଓ ଆନ୍ଧ୍ର ମିଲରଙ୍କ ଦଲାଲ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ପ୍ରାୟ ୮୫୦୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚାଷୀ ଧାନ ଅମଳ କରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବେପାରିଙ୍କୁ ବିକି ଦେଉଛନ୍ତି । ଧାନର ସରକାରୀ ଦର କ୍ୱିଂଟାଲ ପ୍ରତି ୨୧୮୩ ଟଙ୍କା ରହିଥିବା ବେଳେ ଆନ୍ଧ୍ର ବେପାରୀ ୭୭ କିଲୋ ଧାନକୁ ୧୩୫୦ ଟଙ୍କାରେ କିଣି ନେଉଛନ୍ତି । ଶ୍ରମିକଙ୍କ ପାଉଣା ଓ କରଜ ସୁଝିବା ପାଇଁ ଚାଷୀ ଅଭବୀ ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।
ଚଳିତ ବର୍ଷ ଖଲ୍ଲିକୋଟରେ ୮୩୮୮ ଜଣ ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ପଞ୍ଜିକରଣ କରିଛନ୍ତି । ମଣ୍ଡି ଖୋଲିବାରେ ବିଳମ୍ବ ସାଙ୍ଗକୁ ଅମଳ ଧାନକୁ ଗଛିତ ରଖିବା ସୁବିଧା ନାହିଁ । ତେଣେ ଶ୍ରମିକଙ୍କ ପାଉଣା ଓ କରଜ ସୁଝିବା ପାଇଁ ଟଙ୍କାର ଆବଶ୍ୟକତା ରହିଛି । ତେଣୁ ସବୁ ଜାଣି ବି ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ, ଆଉ ମାଲାମାଲ ହେଉଛନ୍ତି ଆନ୍ଧ୍ର ଦଲାଲ ।
ଖାଲି ଏ ବର୍ଷ ନୁହେଁ, ପ୍ରାୟ ସବୁ ବର୍ଷ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଏହାର ସୁଯୋଗ ନେଇଥାନ୍ତି ଆନ୍ଧ୍ର ଦଲାଲ ।
ସେହିଭଳି କଳାବଜାରିଙ୍କ କବଜାରେ ଓଡିଶା ଚାଷୀଙ୍କ ଧାନ । ଲାଭ ପାଇବା ପାଇଁ ଛତିଶଗଡ଼ ମୁହାଁ ଓଡିଶା ଚାଷୀ । ଓଡିଶାରେ ଧାନ କ୍ୱିଂଟାଲ ପ୍ରତି ଦର ୨୧୮୩ ଟଙ୍କା ଥିବା ବେଳେ ଛତିଶଗଡ଼ରେ କ୍ୱିଂଟାଲ ପ୍ରତି ଦର ରହିଛି ୩୧୦୦ ଟଙ୍କା । ମାତ୍ର ୧୦ ରୁ ୧୫ କିଲୋମିଟର ଦୂରରେ ଧାନ ଦରର ପ୍ରାୟ ୧୦୦୦ ଟଙ୍କା ତାରତମ୍ୟ ରହିଛି । ତେଣୁ ଚାଷୀ ଛତିଶଗଡ ମୁହାଁ ହୋଇଥିବା ବେଳେ ଦଲାଲ, ଚାଷୀଙ୍କ ଠାରୁ ୨୫ଶହରୁ ୨୬ଶହ ଟଙ୍କା ଦରରେ ଧାନ କିଣି ନେଉଛନ୍ତି । ଦିନ ରାତି ଖୁଲମଖୁଲା ଭାବେ ଟ୍ରକ ଟ୍ରକ ଧାନ ଛତିଶଗଡ଼କୁ ଯାଉଥିବା ଦେଖିବାକୁ ମିଳୁଛି । ଦୈନିକ ପ୍ରାୟ ୨୦ରୁ ୨୫ କ୍ୱିଂଟଲ ଧାନ ଗାଡ଼ି ସୀମା ପାର ହେଉଛି । ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷର ଧାନ ମଣ୍ଡି ଆରମ୍ଭ ହୋଇନାହିଁ, ସେପଟେ ଛତିଶଗଡ ମଣ୍ଡିରେ ଧାନ କିଣା ଚାଲିଛି । ତେଣୁ ଓଡିଶାର ଅମଳ ଧାନ ଛତିଶଗଡକୁ ଚାଲାଣ ହେଉଥିବା ଜଣାପଡ଼ିଛି । ସେଠାକାର ବ୍ୟବସାୟୀ ସ୍ଥାନୀୟ ଆରଏମସି ଫାଟକ କର୍ମଚାରୀଙ୍କୁ ହାତ କରି ଶହ ଶହ କୁଇଂଟାଲ ଧାନ ଛତିଶଗଡ଼କୁ ବୋହି ନେଇଯାଉଥିବା ବେଳେ ପୁଲିସ ପ୍ରଶାସନ ଓ ଯୋଗାଣ ବିଭାଗ ଜଳକା ହୋଇ ଚାହିଁ ରହିଛନ୍ତି । ଦଲାଲମାନେ ଘର ଘର ବୁଲି ଧାନ ସଂଗ୍ରହ କରି ଛତିଶଗଡ଼ ବେପାରୀଙ୍କୁ ବିକ୍ରୀ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ, ପୁଲିସ ଓ ଯୋଗାଣ ବିଭାଗ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଛତିଶଗଡ଼ କଳା ବ୍ୟବସାୟୀଙ୍କ ସାହାସ ବଢିବାରେ ଲାଗିଛି ।