ଭାଇରାଲ ଭିଡ଼ିଓର ଭୟାନକ ପରିଣତି ! ଜୟପୁରରେ ଭାଇରାଲ ହେଲା ନବବଧୂଙ୍କ ଅଶ୍ଳୀଳ ଭିଡ଼ିଓ, ୧୦ ଦିନର ପତ୍ନୀଙ୍କୁ ଛାଡିଦେଲେ ସ୍ୱାମୀ

153

କନକ ବ୍ୟୁରୋ : ପୋଲିସ ଓ ପ୍ର୍ରଶାସନର କଡା କଟକଣା ସତ୍ୱେ ରାଜ୍ୟରେ ବନ୍ଦ ହେବାର ନାଁ ନେଉନି ଭାଇରାଲ୍ ଭିଡିଓ । ଜୟପୁରରେ ଆଜି ଜଣେ ନବବଧୁଙ୍କ ଅନ୍ତରଂଗ ମୁହୂର୍ତକୁ ଭାଇରାଲ୍ କରିଛି ପ୍ରେମିକ । ଏହାପରେ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ସ୍ୱାମୀ । ସେପଟେ ନବରଙ୍ଗପୁରରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ଆତ୍ମହତ୍ୟା କରିଛି ନାବାଳିକା ।

ବିବାହର ୧୦ ଦିନ ପୁରିନି, ସ୍ୱାମୀଙ୍କ ମୋବାଇଲକୁ ଆସିଲା ସ୍ତ୍ରୀର ଅଶ୍ଳୀଳ ଭିଡିଓ । ପୂର୍ବରୁ ପ୍ରେମିକ ସହ ବିତାଇଥିବା ସ୍ତ୍ରୀର ଅନ୍ତରଂଗ ମୁହୂର୍ତ । ପାଖାପାଖି ୩୬ଟି ଆପତିଜନକ ଭିଡିଓ । ଯାହାକୁ ଦେଖି ହତବାକ୍ ହୋଇଯାଇଥିଲା ସ୍ୱାମୀ । ଆଉ ସଙ୍ଗେ ସଙ୍ଗେ ନିଷ୍ପତି ନେଇଛି ସ୍ତ୍ରୀକୁ ଛାଡିଦେବାକୁ ।

ଜୟପୁରରେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି ଏସବୁ ଅଶ୍ଳୀଳ ଭିଡିଓ । ଯେଉଁଥିରେ ଯୁବତୀଙ୍କ ସହ ସଂପୃକ୍ତ ପ୍ରେମିକଙ୍କ କିଛି ଅନ୍ତରଂଗ ମୁହୂର୍ତ ରହିଛି । ତେବେ ଗତ ୨୦ ତାରିଖରେ ଯୁବତୀ ଜଣକ ଅନ୍ୟ ଜଣେ ପୁଅକୁ ବିବାହ କରିଥିଲେ । ଏହାପରେ ସଂପୃକ୍ତ ପ୍ରେମିକ, ଯୁବତୀଙ୍କ ଏସବୁ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି ।

ଗୋଟିଏ ପଟେ ଜୟପୁରରେ ନବବଧୂର ଅଶ୍ଳୀଳ ଭିଡିଓ ଭାଇରାଲ୍ ହେଉଛି ଏପଟେ ନବରଙ୍ଗପୁରରେ ଭିଡିଓ ଭାଇରାଲ୍ ହେବା ପରେ ଆତ୍ମହତ୍ୟା କରିଛି ନାବାଳିକା । ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା ପ୍ରେମିକ । ପରେ ସେହି ଅନ୍ତରଂଗ ମୁହୂର୍ତକୁ ରେକର୍ଡ କରି ଭାଇରାଲ୍ କରିଦେଇଥିଲା । ଗାଁର ସାହି ଗଳିରେ ନିଜର ଅଶ୍ଳୀଳ ଭିଡିଓ ବୁଲୁଥିବା ଜାଣି ଜୀବନ ହାରିଦେଇଛି ନାବାଳିକା । ଜୟପୁର ଓ ନବରଙ୍ଗପୁରର ଘଟଣା ବୟାନ କରୁଛି ଯେ, କେତେ ଭୟାନକ ହୋଇପାରେ ଭାଇରାଲ୍ ଭିଡିଓ ।