କନକ ବ୍ୟୁରୋ : ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ପାଲଟିଛି କଂଚା କାଜୁ । ଗ୍ରୀଷ୍ମ ଆରମ୍ଭରୁ ନବରଙ୍ଗପୁରର ଦୈନିକ ବଜାରରେ କାଜୁ ପସରା ଦେଖିବାକୁ ମିଳିଥାଏ । ଆଦିବାସୀ ମହିଳା ମାନେ ଜଙ୍ଗଲରୁ କଂଚା କାଜୁ ସଂଗ୍ରହ କରି ବିକ୍ରି କରନ୍ତି । କାଜୁରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । କଂଚା କାଜୁ ତରକାରୀ, କାଜୁ ଭଜା ସହିତ ଅନ୍ୟ ବ୍ୟଞ୍ଜନର ସ୍ୱାଦ ନିଆରା ଥିବାରୁ ଏହାର ଚାହିଦା ଢେର ଅଧିକ ରହିଛି । ଏହା ସହ କଂଚା କାଜୁର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରହିଛି । ଆଦିବାସୀ ମହିଳାଙ୍କ ଜୀବିକା ନିର୍ବାହର ଏକ ପନ୍ଥା ହୋଇଥିବା ବେଳେ ଏହି ବ୍ୟବସାୟ କରି ଭଲ ଦୁଇ ପଇସା ପାଉଛନ୍ତି । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ପେଟ ପାଟଣାର ପ୍ରମୁଖ ମାଧ୍ୟମ ସାଜିଛି ଏହି କଂଚା କାଜୁ । ଜଙ୍ଗଲରୁ ସଂଗୃହିତ କାଜୁ ବିକ୍ରି କରି ତେଲ ଲୁଣର ସଂସାର ଚଳାଉଛନ୍ତି ଆଦିବାସୀ ମହିଳା । ବର୍ଷର କିଛି ନିର୍ଦ୍ଦିଷ୍ଟ ସମୟରେ ଜଙ୍ଗଲରୁ କାଜୁ ସଂଗ୍ରହ କରି ନବରଙ୍ଗପୁର ସହର ଏବଂ ଆଖପାଖ ଜନବସତିରେ ବିକ୍ରି କରି ଦୁଇ ପଇସା ଉପାର୍ଜନ କରିଥାନ୍ତି ।

Advertisment

ପ୍ରବଳ ଖରାକୁ ଖାତିର ନକରି ଜଙ୍ଗଲରୁ କାଜୁ ସଂଗ୍ରହ କରନ୍ତି ଆଦିବାସୀ ମହିଳା । କାଜୁ ମଞ୍ଜିକୁ ସଂଗ୍ରହ କରିବା ଅତ୍ୟନ୍ତ କଷ୍ଟକର ଥିବାବେଳେ ବଡ଼ଦାନା ଥିବା କାଜୁ ସଂଗ୍ରହ କରି ରାତିରେ ତା'ର ଚୋପା ଛଡ଼ାଇ ଦୁଇ ଫାଳ କରି ପାଣିରେ ବତୁରାଇ ରଖନ୍ତି । ପରେ ତା'ର ଚୋପା ଛଡ଼ାଇ କାଜୁ ବାହାର କରି ବିକ୍ରି କରନ୍ତି । ତେବେ ଏହାକୁ ପତ୍ରରେ ପ୍ରସ୍ତୁତ ଦନାରେ ଭାଗ ବସେଇ ଭାଗ ପିଛା ୨୦ ଟଙ୍କା ଓ କିଲୋକୁ ୪୦୦ ଟଙ୍କାରେ ବିକ୍ରି କରନ୍ତି । ପ୍ରଥମ ଉତ୍ପାଦନ ସମୟରେ ଏହାର ଦର ପ୍ରାୟ ୭୦୦ ରୁ ୮୦୦ ରହିଥାଏ । ପରେ ଧୀରେ ଧୀରେ ଏହାର ଦର ଖସି ଥାଏ । ନିରାମିଷ ଭୋଜନ କରୁଥିବା ଲୋକଙ୍କ ପ୍ରଥମ ପସନ୍ଦ କାଜୁ । ବିନା କୀଟନାଶକ, ବିନା ସାରରେ ଏହି କାଜୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଗ୍ରାହକ ମାନେ ମଧ୍ୟ ଖୁସିରେ କିଣି ନିଅନ୍ତି । ଶୁଖିଲା କାଜୁ ଅପେକ୍ଷା କଂଚା କଜୁରେ ପ୍ରସ୍ତୁତ ବ୍ୟଞ୍ଜନ ନିଆରା । କାଜୁ ତରକାରୀ, ଭଜା , କାଜୁ ଚିଙ୍ଗୁଡ଼ି, ମାଂସ ଖୁରୁମା ଆଦି ତରକାରୀରେ ଏହି କଂଚା କାଜୁ ବ୍ୟବହାର ହୋଇଥାଏ ।

ଏହାର ସ୍ୱାଦ ବେଶ ନିଆରା । ବଜାରରେ କଂଚା କାଜୁର ଚାହିଦା ଥିବାରୁ ଭଲ ଦୁଇ ପଇସା ମିଳୁଛି । ଖରା ଦିନେ କୁଲି ମଜୁରି ନମିଳିବାରୁ ଏହି କଂଚା କାଜୁ ବିକ୍ରି କରି ପରିବାର ପ୍ରତିପୋଷଣ କରୁଛନ୍ତି ନିରିହ ଆଦିବାସୀ ।