ମଣ୍ଡିକୁ ନେଇ ହଟଚମଟ ବେଳେ ଆସିଲା ନବରଙ୍ଗପୁର ଧାନ ଚୋରାଚାଲାଣର ଚିତ୍ର । ମଣ୍ଡିଖୋଲିବାରୁ ବିଳମ୍ବ ହେଉଥିବାରୁ ଦଲାଲ କରୁଛନ୍ତି ରାଜ୍

195

କନକ ବ୍ୟୁରୋ : ମଣ୍ଡିକୁ ନେଇ ସମସ୍ୟା ରାଜ୍ୟରେ କମିବାର ନାଁ ଧରୁନି । କେଉଁଠି ଟୋକନକୁ ନେଇ ବିବାଦ ଦେଖା ଦେଲାଣି ତ କେଉଁଠି ବେଆଇନ ଭାବେ ବସ୍ତା ବସ୍ତା ଧାନ ଜମା ହୋଇଥିବା ଖବର ବି ସାମ୍ନାକୁ ଆସୁଛି । ଏହାରି ଭିତରେ ପଶ୍ଟିମ ଓଡିଶାରୁ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଧାନର ଚୋରା ଚାଲାଣ ବୃଦ୍ଧି ପାଇଛି । ଏହା ସହ ଓଡିଶା ତୁଳନାରେ ପଡୋଶୀ ଆନ୍ଧ୍ର ଓ ଛତିଶଗଡ ରାଜ୍ୟରେ ଧାନର ସହାୟକ ମୂଲ୍ୟ ଅଧିକ ରହିଛି । ଏହାର ଫାଇଦା ନେଇ ଦଲାଲମାନେ ଚାଷୀଙ୍କୁ ପ୍ରଲୋଭିତ କରୁଛନ୍ତି । ସେମାନେ ଚାଷୀଙ୍କଠାରୁ ଧାନ କିଣି ପଡୋଶୀ ରାଜ୍ୟରେ ବିକ୍ରି କରି ଲାଭବାନ ହେଉଛନ୍ତି ।

ଏହି ଢଙ୍ଗରେ ଚୋରାଚାଲାଣ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗ ନବରଙ୍ଗପୁର ସହର ମାଝୀଗୁଡାଠାରେ ଦୁଇଟି ଧାନ ବୋଝେଇ ଟ୍ରକକୁ ଜବତ କରିଛି । ଉମରକୋଟ ବ୍ଲକ ଜାମରୁଣ୍ଡାରୁ ଆନ୍ଧ୍ର ପ୍ରଦେଶର ପେଦାପୁରମ୍ ଯାଉଥିବା ଜଣାପଡିଛି । ଦୁଇଟି ଟ୍ରକରେ ମୋଟ ୧୧୪୦ ବସ୍ତାରେ ପ୍ରାୟ ୫୪୮ କ୍ୱିଂଟାଲ ଧାନ ରହିଥିବା ଯୋଗାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ତଦନ୍ତରୁ ଏହି ଧାନ ଜାମରଣ୍ଡା ପଂଚାୟତ ୟୁଭି-୧୪ର ସରକାରୀ ଟ୍ରେଡର୍ସ ନାମକ ଏକ ଦୋକାନ ଜରିଆରେ କ୍ୱିଟାଲ ପିଛା ୧୬୧୪ ଟଙ୍କା ହାରରେ କିଣାଯାଇଥିବା ଜଣାପଡିଛି । ଯୋଗାଣ ବିଭାଗ ଅଧିକ ଖୋଲତାଡ ଜାରି ରଖିଛି ।