ଅଜଣା ରୋଗ ଉଜାଡିଦେବ ସଂସାର ? ହସ୍ପିଟାଲରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ସ୍ୱାମୀ । ସହାୟତା ପାଇଁ ନେହୁରା ହେଲା ସ୍ତ୍ରୀ…

166

କନକ ବ୍ୟୁରୋ: ହସ୍ପିଟାଲରେ ଜୀବନ-ମରଣ ସହ ସଙ୍ଘର୍ଷ କରୁଛନ୍ତି ସ୍ୱାମୀ । ଘରେ ରହି ଦିଅଁଦେବତା ସହ ପରପାଖରେ ହାତପାତୁଛି ସ୍ତ୍ରୀ । ସହାୟତା ମିଳିଲେ ଘରକୁ ଫେରିବେ ସ୍ୱାମୀ, କିଏ ସହଯୋଗ କଲେ ତାଙ୍କ ସ୍ୱାମୀ ନୂଆ ଜୀବନ ପାଇବେ । ନହେଲେ ଅଜଣା ରୋଗ ସଂସାର ଉଜାଡି ଦେବ, ସ୍ୱାମୀଙ୍କ ଜୀବନ ସଙ୍କଟରେ ପଡିବ । ନିଜ ସିନ୍ଦୂରକୁ ବଞ୍ଚାଇ ରଖିବା ପାଇଁ, ଭଲ କରିଦେବାକୁ କାନ୍ଦି କାନ୍ଦି ଲୁହଭିଜା ନିବେଦନ କରୁଛି ଏ ଅସହାୟ ସ୍ତ୍ରୀ ।

ନବରଙ୍ଗପୁର ଉମରକୋଟ ଦର୍ଗାଗୁଡା ଗାଁର ନିର୍ମଳ ସରକାର । ବୟସ ୨୨ ବର୍ଷ । ନିର୍ମଳଙ୍କୁ କେଉଁ ଏକ ଅଜଣା ରୋଗ ହୋଇଛି ଯେ ନା ଡାକ୍ତର ଚିହ୍ନି ପାରୁଛନ୍ତି ନା ରୋଗ ଭଲ ହେଉଛି । ଦୀର୍ଘ ଦିନ ହେବ ଅଜଣା ରୋଗର ପାଇଁ ଏକପ୍ରକାର ଅସହାୟତ ହୋଇପଡିଛି ନିର୍ମଳ ଓ ତାଙ୍କ ପରିବାର ।

୨ ବର୍ଷ ତଳେ ହଠାତ ନିର୍ମଳ ରକ୍ତବାନ୍ତି କଲେ । ସଙ୍ଗେସଙ୍ଗେ ତାଙ୍କୁ ବିଶାଖାପାଟଣା ନିଆଯାଇଥିଲା । ସେଠାରୁ ଅଧିକ ଖର୍ଚ୍ଚ ସହି ନପାରି ବ୍ରହ୍ମପୁର ବଡ ମେଡିକାଲ ଫେରାଇ ଆଣିଲେ । କିନ୍ତୁ ସେଠି ଡାକ୍ତର ରୋଗ ଚିହ୍ନି ନପାରିବାରୁ କଟକର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ । ହେଲେ ପୁଣି ମାସକ ପରେ ରକ୍ତବାନ୍ତି ହେବାରୁ ଧାରଉଧାର କରି ଭେଲୁର ନେଇ ଚିକିତ୍ସା କରିବା ପରେ ଟିକେ ଭଲ ହୋଇଥିଲେ ନିର୍ମଳ । କିନ୍ତୁ ୬ ମାସ ଭଲହେବା ପରେ ପୁଣି ଅସୁସ୍ଥ ହେଲେ । ଯେତେବେଳେ ରୋଗ ବାହାରେ ନିର୍ମଳଙ୍କ ଆଖି ନାଲି ପଡିଯାଏ, ମସ୍ତଷ୍କ କାମ କରେନି, ଦେହର ତାପମାତ୍ର ବଢିଯାଏ । ତେବେ ଡାକ୍ତରଙ୍କ କହିବା କଥା ନିର୍ମଳ ବଞ୍ଚିଥିବା ଯାଏଁ ବର୍ଷକୁ ଗୋଟେ ଇଞ୍ଜକସନ ଦେବାକୁ ପଡିବ ଯାହାର ଦାମ ୩୦ ହଜାର ଟଙ୍କା ।

ତେବେ ଯେବେ ଯେବେ ସେ ଇଞ୍ଜକ୍ସନ ନିଅନ୍ତି ସେହି ୬ ମାସ ଭଲରେ ରୁହନ୍ତି । ତାପରେ ପୁଣି ବିଗିଡିଯାଏ ଶରୀର । ଗତ କିଛି ଦିନ ତଳେ ଆଉ ଥରେ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖିଛନ୍ତି । ଯେଉଁଠି ଦିନକୁ ଖର୍ଚ୍ଚ ହେଉଛି ୪୦ ହଜାର ଟଙ୍କା । ଯାହା ପରିବାର ପାଇଁ ଦେବା ଅସମ୍ଭବ ।

ନିର୍ମଳ ହିଁ ଥିଲେ ଘରର ଏକମାତ୍ର ରୋଜଗାରିଆ ପୁଅ । ଲୋକଙ୍କ ଘରେ ଡିଟିଏଚ ଲଗାଇ ପେଟ ପୋଷନ୍ତି । ସେ ବିବାହିତ, ତାଙ୍କର ଗୋଟେ ଦେଢ ବର୍ଷର ପିଲା ବି ଅଛି । ବାପାଙ୍କୁ ପାରାଲିସିସ । ଆଉ ଏମିତି ସମୟରେ ସେ ନିଜେ ରୋଗରେ । ତେଣୁ ତାଙ୍କର ଉନ୍ନତ ଚିକିତ୍ସା ପାଇଁ ନିର୍ମଳଙ୍କ ବାପା ଓ ସ୍ତ୍ରୀ ସରକାର କିମ୍ବା ସହୃଦୟ ବ୍ୟକ୍ତିଙ୍କୁ ନେହୁରା ହୋଇଛନ୍ତି ।