କନକ ବ୍ୟୁରୋ :  ପୁଣି ହକର ଲଢେଇ ଲଢିବା ପାଇଁ ସଂଗଠିତ ହେଲେ ଚାଷୀ । ଜଗତସିଂହପୁର ଓ ଯାଜପୁର ପରେ ଢେଙ୍କାନାଳରେ ନବ ନିର୍ମାଣ କୃଷକ ସଂଗଠନର ଜୟ କିଷାନ ମହାସମାବେଶ । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ୨୦ ହଜାରରୁ ଅଧିକ ଚାଷୀଙ୍କ ରଣହୁଙ୍କାର । ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କର, ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ଦିଅ ନହେଲେ ଆସନ ଛାଡ ବୋଲି ଚରମ ଚେତାବନୀ ଦେଇଛନ୍ତି ଚାଷୀକୂଳ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାଇ ଦେଇଛନ୍ତି ଯେ, ଚାଷୀଙ୍କୁ ଅଣଦେଖା କଲେ ପରିଣାମ ଭୟାବହ ହେବ । ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷ ଉପରେ ନିର୍ଭର କରୁଥିବାବେଳେ ଏମାନଙ୍କୁ ଉପେକ୍ଷା କରି ଶାସନ କରିବା ସମ୍ଭବ ହେବନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ।

Advertisment

publive-imageଭୋଟ୍ ରାଜନୀତି ପାଇଁ ଚାଷୀଙ୍କୁ ଆଉ ଭୁଆଁ ବୁଲାଇବା ସମ୍ଭବ ନୁହେଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକଲେ ରାଜ୍ୟର ହଜାର ହଜାର ଚାଷୀ ପରିବାର ଠିକଣା ବେଳରେ ଏହାର ଉଚିତ ଜବାବ ଦେବେ । କୃଷିଋଣ ଛାଡ ସହ ଚାଷୀଙ୍କ ଅନ୍ୟାନ୍ୟ ମୌଳିକ ଦାବି ପ୍ରତି କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାର ତୁରନ୍ତ ବିଚାର କରନ୍ତୁ ବୋଲି ଢେଙ୍କାନାଳ ସଭାରୁ ଆହ୍ୱାନ ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ନେତାମାନେ । ନଚେତ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ । ବିଭିନ୍ନ ଜିଲ୍ଲା ପରେ ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ହଜାର ହଜାର ଚାଷୀ ଏକାଠି ହୋଇ ଜରୁରୀ ପରିସ୍ଥିତି ସୃଷ୍ଟି କରିବେ ବୋଲି ସଂଗଠନ ଖୋଲା ଚେତାବନୀ ଦେଇଛି ।

ଚାଷୀଙ୍କ ଭିତରେ ଦାନା ବାନ୍ଧୁଥିବା ଅସନ୍ତୋଷ ଧିରେଧିରେ ତେଜିବାରେ ଲାଗିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ଢେଙ୍କାନାଳରେ । ଜଗତସିଂହପୁରରୁ ଆରମ୍ଭ ହୋଇଥିଲା ନବ ନିର୍ମାଣ କୃଷକ ସଂଗଠନର ସମାବେଶ ଆନ୍ଦୋଳନ । ଆଗକୁ ପୁଣି ନୟାଗଡରେ ଚାଷୀମାନେ ଏକାଠି ହେବେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।