ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ବରପୁତ୍ରଙ୍କୁ ଅସମ୍ମାନ: ନବକୃଷ୍ଣ ଚୌଧୁରୀଙ୍କ ନାଁକୁ କରାଗଲା ବିକୃତ

136

କନକ ବ୍ୟୁରୋ: ବରପୁତ୍ରଙ୍କୁ ଅସମ୍ମାନ । ଭୁବନେଶ୍ୱରରେ ଆୟୋଜିତ ଅମୃତ କଳସ ଯାତ୍ରାରେ ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନାଁକୁ ବିକୃତ କରାଯାଇଛି । ‘ମୋ ମାଟି ମୋ ଦେଶ’ ଅମୃତ କଳସ ଯାତ୍ରାର ବିଶାଳ ଶୋଭାଯାତ୍ରା ଭୁବନେଶ୍ୱରରେ ଚାଲିଥିବାବେଳେ ରାସ୍ତା ମଝିରେ ବରପୁତ୍ରଙ୍କ ଫଟୋ ଲାଗିଛି । ଆଉ ଏହାରି ଭିତରେ ରହିଛି ନବକୃଷ୍ଣ ଚୌଧୁରୀଙ୍କ ଫଟୋ । କିନ୍ତୁ ବିଡମ୍ବନାର କଥା ଏହି ଫଟୋରେ ନବକୃଷ୍ଣ ଚୌଧୁରୀଙ୍କ ବଦଳରେ ଲେଖାଯାଇଛି ନବ କିଶୋର ଚୌଧୁରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବରିଷ୍ଠ ବିଜେପି ନେତା ଓ କର୍ମୀ ରାଜ୍ୟର ବିଭିନ୍ନ ଗାଁରୁ ସଂଗୃହିତ ହୋଇଥିବା ମାଟିକୁ ଧରି ଶୋଭାଯାତ୍ରା କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏତେ ବଡ ଭୁଲ ଉପରେ କାହାରି ନଜର ପଡିନି । ଆୟୋଜକଙ୍କ ଦ୍ୱାରା ଏଭଳି ଭୁଲ ହୋଇଥିବାରୁ ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଏହାପୂର୍ବରୁ ଅନୁଗୁଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ବିକୃତ କରାଯାଇଥିଲା । ଅନୁଗୁଳ କୋର୍ଟ ସାମ୍ନା ଗୋପବନ୍ଧୁ ପାର୍କରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ବେକଚିପା ସାର୍ଟ, ପାଦରେ ବୁଟ୍ ଓ ପ୍ୟାଂଟ ପିନ୍ଧାଯାଇଥିବା ଦେଖିବାକୁ ମିଳିଥିଲା । ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଓଡ଼ିଶା ଦିବସ ପାଳନ ଅବସରରେ ଏହି ପ୍ରତିମୂର୍ତିରେ ଫୁଲମାଳ ଦିଆଯିବା ପରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ଯେଉଁ ଗାନ୍ଧୀବାଦୀ ନେତାଙ୍କ ସାରା ଜୀବନ ଧୋତି, ଗଞ୍ଜିରେ କଟିଥିଲା, ମୁଖ୍ୟମନ୍ତ୍ରୀ ହେବା ପରେ ବି ନିରାଡମ୍ବର ତଥା ସରଳ ଜୀବନ ବିତାଉଥିଲେ, ସେହିଭଳି ଜଣେ ମହାପୁରୁଷଙ୍କର ସୁଟ୍, ବୁଟ୍ ପିନ୍ଧା ପ୍ରତିମୂର୍ତି ତିଆରି କରାଯାଇଥିଲା । ସମାଲୋଚନା ପରେ ଚେତିଥିଲା ଅନୁଗୁଳ ପ୍ରଶାସନ । ବିବାଦ ପରେ ବଦଳାଇ ଦିଆଯାଇଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିର ସ୍ୱରୂପ ।