କନକ ବ୍ୟୁରୋ : ସ୍ନାନଯାତ୍ରାଠାରୁ ଜ୍ୱରରେ ପଡ଼ି ଅଣସର ପିଣ୍ଡିରେ ଅବସ୍ଥାନ କରୁଥିବା ମହାପ୍ରଭୁ ନବଯୌବନ ପ୍ରାପ୍ତ ହୋଇଛନ୍ତି। ୧୫ ଦିନ ଧରି ନାନାଦି ଗୁପ୍ତସେବା ଓ ଔଷଧୀୟ ଉପଚାର ପରେ ଆଜି ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କୁ ୧୫ ଦିନ ଧରି ଦେଖିନଥିବା ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବର୍ଷା ସତ୍ତ୍ବେ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରି ବିମୋହିତ ହୋଇଛନ୍ତି। ଏତେ ଦିନ ପରେ ମହାପ୍ରଭୁଙ୍କୁ ଦେଖି ଅନେକ ଭକ୍ତ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସକାଳେ ଲଗାଣ ବର୍ଷା, ମଧ୍ୟାହ୍ନରେ ମେଘୁଆ ପାଗ। ଏହାରି ମଧ୍ୟରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରି ଫେରିଥିଲେ।
/kanak/media/post_attachments/wp-content/uploads/2019/07/jagannath-1.jpg-f-1.jpg)
/kanak/media/post_attachments/wp-content/uploads/2019/07/nabajouban-1.jpg)
ଅପରାହ୍ଣ ୩ଟା ୪୫ରେ ପରିମାଣିକ ଦର୍ଶନ ବନ୍ଦ ହେବା ପରେ ଭିତରକାଠରୁ ସର୍ବସାଧାରଣ ଦର୍ଶନ ତଥା ସାହାଣମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ଆରମ୍ଭ ହୋଇଥିଲା। ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ। ଭକ୍ତଙ୍କ ଉତ୍ସାହ ଓ ଆବେଗକୁ ଦୃଷ୍ଟିରେ ରଖି ଭିତରକାଠ ଦର୍ଶନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ସାଧାରଣ ଭକ୍ତଙ୍କୁ ୧୫ ମିନିଟ୍ ଅଧିକ ଦର୍ଶନର ସୁଯୋଗ ଦିଆଯାଇଥିଲା। ଅପରାହ୍ଣ ୫ଟା ପରେ ଭିତରକାଠ ଦର୍ଶନ ବନ୍ଦ କରି ଦିଆଯାଇଥିଲା। ପରେ ଭକ୍ତମାନେ ଜଗମୋହନରୁ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଭିତର କାଠ ଦର୍ଶନ ବନ୍ଦ ପରେ ଧୁଆଧୋଇ ହୋଇ ଦଇତାପତି ସର୍ବାଙ୍ଗ, ବନ୍ଦାପନା, ନେତ୍ରୋତ୍ସବ ବନ୍ଦାବନା ନୀତି ସଂପନ୍ନ ହୋଇଥିଲା।
ପରେ ରୋଷହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ରାତି ପ୍ରାୟ ସାଢ଼େ ୯ଟାରେ ଭୋଗମଣ୍ଡପ ଉଠିବା ପରେ ମଇଲମ, ବେଶ, ମଧ୍ୟାହ୍ନ ଧୂପ, ଦ୍ବିତୀୟ ଭୋଗମଣ୍ଡପ, ଦକ୍ଷିଣିଘର ଭୋଗ, ମଇଲମ ଓ ବେଶ ଅନୁଷ୍ଠିତ ହୋଇଥିଲା। ରାତି ୨ଟାରୁ ସାଢ଼େ ୩ଟା ଭିତରେ ସଂଧ୍ୟା ଆଳତି ଓ ସଂଧ୍ୟା ଧୂପ ଶେଷ ପରେ ଦତ୍ତ ବନକଲାଗିକୁ ପ୍ରବେଶ କରିଥିଲେ।