ବିନା ଭକ୍ତରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ । କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା । ମହାପ୍ରଭୁଙ୍କ ଦର୍ଶନ ନପାଇ ଭାବବିହ୍ୱଳ ହେଲେ ଭକ୍ତ

ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଲେ

367

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଶେଷ ହୋଇଛି ମହାପ୍ରଭୁଙ୍କ ଅଣସର ନୀତି । ହେଲେ ଶ୍ରୀଜୀଉଙ୍କୁ ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ । ପ୍ରତିବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଶ୍ରୀମନ୍ଦିରରେ । ହେଲେ ଚଳିତ ବର୍ଷ କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନାହିଁ । ତେଣୁ ବିନା ଭକ୍ତରେ ପ୍ରଭୁଙ୍କ ନବଯୌବନ ଦର୍ଶନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ନପାଇ କିଛି ଭକ୍ତ ଭାବବିହ୍ୱଳ ହୋଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି । ସଟ୍ଡାଉନ ସତ୍ୱେ କିଛି ଭକ୍ତ ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି । ଦେବସ୍ନାନ ପୂର୍ଣ୍ଣିମା ଠାରୁ ଜ୍ୱରରେ ପଡି ଅଣସରରେ ରହିଥିବା ମହାପ୍ରଭୁ ୧୫ ଦିନ ଧରି ଗୁପ୍ତ ସେବା ପରେ ନବଯୌବନ ପ୍ରାପ୍ତ ହୋଇଛନ୍ତି । ଅଣସରରୁ ବାହାରିବା ପରେ ନେତ୍ରଉତ୍ସବରେ ମହାପ୍ରଭୁଙ୍କ ବଦଳରେ ପତିତପାବନକୁ ଦର୍ଶନ କରିଛନ୍ତି ଭକ୍ତ ।

ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁନର୍ବିଚାର ପାଇଁ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଚିଠିରେ ଗଜପତି ଲେଖିଛନ୍ତି ମହାପ୍ରଭୁ ତାଙ୍କର ଭକ୍ତମାନଂକୁ ଦର୍ଶନ ଦେବା ପାଇଁ ବର୍ଷକରେ ଥରେ ବଡଦାଣ୍ଡକୁ ଆସିଥାନ୍ତି । ତେଣୁ ପୁରୀ ଜଗନ୍ନାଥଙ୍କ ମୂଳପୀଠ । ସେଠାରେ ରଥଯାତ୍ରା ବନ୍ଦ କରିବା ଠିକ୍ ନୁହେଁ । ଶ୍ରୀମନ୍ଦିରର ରେକର୍ଡସ ଅଫ ରାଇଟସ ଅନୁଯାୟୀ ରଥଯାତ୍ରା ହେବାକୁ ବାଧ୍ୟ । ଅତୀତରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ରଥଯାତ୍ରା ବନ୍ଦ ହୋଇନଥିଲା ।

କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ସ୍ଥିତିରେ ରଥଯାତ୍ରା ବନ୍ଦ ହୋଇଥିଲା । ତେଣୁ କରୋନା ପରିସ୍ଥିତିରେ କଟକଣା ଭିତରେ ରଥଯାତ୍ରା କରିବା ଅସମ୍ଭବ ନୁହେଁ । ଆଇନତଃ ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ । ବିଭିନ୍ନ ପୂରାଣ ଓ ଇତିହାସର ଉଦାହରଣ ଦେଇ ରଥଯାତ୍ରାର କିଭଳି ସ୍ୱତନ୍ତ୍ରତା ରହିଛି ତାହା ଦର୍ଶାଇଛନ୍ତି । ଏବଂ ପୁରୀ ରଥଯାତ୍ରା କରିବା ପାଇଁ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରିଛନ୍ତି । ଗତକାଲି ପରିଚାଳନା କମିଟି ଓ ଛତିଶାନିଯୋଗ କମିଟି ବୈଠକରେ ନିଆଯାଇଥିବା ନିଷ୍ପତି ଆଧାରରେ ଚିଠି ଲେଖିଛନ୍ତି ଗଜପତି ।