କନକ ବ୍ୟୁରୋ: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖି କହିଛନ୍ତି ଯେ, ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତରେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସାହାଯ୍ୟ ନେବ କ୍ରାଇମବ୍ରାଞ୍ଚା ବିହେଭିୟରାଲ ଆନାଲିସିସ ଅର୍ଥାତ ନବ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳର ବ୍ୟବହାର ପରୀକ୍ଷଣ କରିବାରେ ସହାୟତା କରିପାରେ ଏଫବିଆଇ । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆମେ ଜାଣିବାକୁ ଚାହିଁଥିଲୁ ଯେ, ଭାରତରେ ଘଟିଥିବା ଅନ୍ୟ କୌଣସି ଅପରାଧିକ ମାମଲାରେ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏଫବିଆଇର କିଛି ସହଯୋଗ ରହିଛି କି? ଜାଣିବାକୁ ପାଇଲୁ- ଭାରତ ଓ ଆମେରିକା ମଧ୍ୟରେ ରହିଛି ‘MLAT’ ଚୁକ୍ତି । ଅର୍ଥାତ ମ୍ୟୁଚୁଆଲ ଲିଗାଲ ଆସିଷ୍ଟାନ୍ସ ଟ୍ରିଟି । ଯେଉଁ ଚୁକ୍ତି ବଳରେ ପରସ୍ପରକୁ ନ୍ୟାୟିକ ସହାୟତା ଯୋଗାଇ ଦେଉଛନ୍ତି ଉଭୟ ଦେଶ । ତଥ୍ୟ, ପ୍ରମାଣ ଓ ତଦନ୍ତ ଆଦାନ ପ୍ରଦାନ ସହ ଅପରାଧ ନିୟନ୍ତ୍ରଣରେ ପରସ୍ପରକୁ ସହାୟତା କରିବା ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ ।

୨୬/୧୧ ମୁମ୍ବାଇ ଆକ୍ରମଣ
ଭାରତରେ ସବୁଠାରୁ ବଡ ଆତଙ୍କୀ ହମଲା ୨୬/୧୧ ମୁମ୍ବାଇ ଆକ୍ରମଣର ତଦନ୍ତରେ ସହଯୋଗ କରିଥିଲା ଏଫବିଆଇ । ଆତଙ୍କବାଦୀ କସାବର ବ୍ୟବହାରିକ ବିଶ୍ଳେଷଣ ପାଇଁ ଏଫବିଆଇର ସହଯୋଗ ନେଇଥିଲା ଏନଆଇଏ ।

ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣା
ସେହିପରି ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣାରେ ବି ଏଫବିଆଇର ସହଯୋଗ ନିଆଯାଇଛି । କଂଗ୍ରେସ ନେତା ଶଶୀ ଥରୁରଙ୍କ ପତ୍ନୀ ଥିଲେ ସୁନନ୍ଦା ପୁଷ୍କର । ୨୦୧୪ ଜାନୁଆରୀ ୧୭ରେ ଦିଲ୍ଲୀର ଏକ ହୋଟେଲ ରୁମରୁ ସନ୍ଦେହଜନକ ଭାବେ ମିଳିଥିଲା ସୁନନ୍ଦା ପୁଷ୍କରଙ୍କ ମୃତଦେହ ।

ଜିଆ ଖାନ୍ ଆତ୍ମହତ୍ୟା
ବହୁଚର୍ଚ୍ଚିତ ଅଭିନେତ୍ରୀ ଜିଆ ଖାନ୍ ମୃତ୍ୟୁ ଘଟଣାରେ ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବାକୁ ଅଫର କରିଥିଲା ଏଫବିଆଇ । ଜିଆ ଖାନ୍ ଆମେରିକୀୟ ନାଗରିକ ହୋଇଥିବାରୁ ତାଙ୍କ ମୃତ୍ୟୁ ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ଆମେରିକା କନସୁଲେଟକୁ ଜଣାଇଥିଲେ ଜିଆଙ୍କ ମାଆ । ଏହାପରେ ମୁମ୍ବାଇ ପୋଲିସ ଓ ସିବିଆଇକୁ ସାହାଯ୍ୟ କରିବା ପାଇଁ ଅପିଲ କରିଥିଲା ଏଫବିଆଇ ।

୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ
ପୁଲୱାମା ଆକ୍ରମଣରେ ଜୈଶ-ଏ-ମହମ୍ମଦ ସଂପୃକ୍ତିର ପ୍ରମାଣ ଯୋଗାଡରେ ସହାୟତା କରିଥିଲା ଏଫବିଆଇ । ଆତଙ୍କବାଦୀ ଆଦିଲ ଅହମ୍ମଦ ଦାରର ଆଇପି ଆଡ୍ରେସ ଖୋଜି ବାହାର କରିବାରେ ସହାୟତା କରିଥିଲା ଆମେରିକା ତଦନ୍ତକାରୀ ସଂସ୍ଥା ।

ତେବେ ଏଫବିଆଇର ସହାୟତା ନେବାକୁ ହେଲେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରିବାକୁ ପଡିଥାଏ । କାରଣ ‘MLAT’ ଚୁକ୍ତି ଅନୁସାରେ କେବଳ କେନ୍ଦ୍ର ଗୃହ ମନ୍ତ୍ରାଳୟ ହିଁ କୌଣସି ପ୍ରକାର ତଥ୍ୟ ଆଦାନ ପ୍ରଦାନ କରିବାକୁ ଅଧିକୃତ । ସେହିପରି ଆମେରିକାରେ ଥିବା ଆଟର୍ଣ୍ଣି ଜେନେରାଲ ଅଫିସ ଏଥିପାଇଁ ଅଧିକୃତ ।