ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା : ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ; ଚାର୍ଜସିଟରେ ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଉନି ତ ?

111

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ନେଇ ବିଜେପିର ପ୍ରେସମିଟ । ଏହି ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ କରିବାପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏପରିକି ଚାର୍ଜସିଟରେ ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଉନି ତ ? ଏନେଇ ପାଲଟା ପ୍ରଶ୍ନ ଉଠାଇଛି । ନବଦାସ ହତ୍ୟା ଘଟଣା ନେଇ ଚାର୍ଜସିଟ ଦାଖଲ ହୋଇଛି । ହେଲେ ସେଥିରେ ଅଛି କ’ଣ ? ହତ୍ୟା କାଣ୍ଡ ପଛର ରହସ୍ୟ କଣ ? କ୍ରାଇମବ୍ରାଞ୍ଚ ସଠିକ୍ ଭାବେ ତଦନ୍ତ କରୁଛି ତ ? ଏନେଇ ଅନେକ ପ୍ରଶ୍ନ ଉଠିଛି ।

ସେହିଭଳି ବିଧାନସଭାରେ ମଧ୍ୟ ଗୋପାଳ ଦାସ ସମେତ ଅନେକ ନାଁ ଉଠିଥିଲା । ଏପରିକି କଲ ରେକର୍ଡ ଯାଞ୍ଚ କରିବାକୁ ଦାବି ମଧ୍ୟ କରାଯାଇଥିଲା । ହେଲେ ସେ ଦିଗରେ ତଦନ୍ତ କରାଯାଇନି । ନବ ଦାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଚାପରେ ରହିଥିବା ବେଳେ ତାଙ୍କୁ ଭୟଭୀତ କରି ରଖାଯାଇଥିବା କଥା ମଧ୍ୟ ଉଠିଛି । ଏପରିକି ବିଧାୟକ ଟିକେଟ ଦେଇ ତାଙ୍କ ପରିବାରକୁ ଚୁପ୍ କରି ଦିଆଯାଇଥିବା ଅଭିଯୋଗ କରିଛି ଦଳ । ଗୋପାଳକୁ ଖସାଇବାକୁ ଉଦ୍ୟମ କରାଯାଉଛି । ତେଣୁ ସିବିଆଇ ତଦନ୍ତ ଦାବି କରିଛି ଦଳ । ଏହାପରେ ଗୋପାଳ ଦାସକୁ ପାଗଳ ବୋଲି କୁହାଯାଇଥିଲେ ବି ପରେ ତଦନ୍ତରେ ପରିବର୍ତ୍ତନ କରାଯାଇଛି । ତେଣୁ ସରକାର ନିଜେ ସମ୍ପୃକ୍ତ ଥିବାରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିବା ଦଳ ଅଭିଯୋଗ କରିଛି ।