ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ : କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

ଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ : କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା

କନକ ବ୍ୟୁରୋ : ଅଣସର ଘର ଗୁପ୍ତ ସେବା ପାଇ ସୁସ୍ଥ ହୋଇଛନ୍ତି ଶ୍ରୀଜୀଉ । ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଏହା ତିନି ଦିନ ଧରି ଚାଲିବ । ୨୦ ବର୍ଷ ପରେ ଏପରି ଏକ ଦୁର୍ଲଭ ସଂଯୋଗ ଆସିଛି । ଏଥିପାଇଁ ୧୫ ଦିନର ଅଣସର ‌ଶେଷ କରି ଆଜି ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିବାରୁ ବିନା ଭକ୍ତରେ ‌ନବଯୌବନ ବେଶ ଅନୁଷ୍ଠିତ ହେବ। ଏଣୁ ଚଳିତବର୍ଷ ବି ସଅଳ ନୀତିକାନ୍ତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଗତକାଲି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା ।

ନୀତି ନିର୍ଘଣ୍ଟ ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ଚକା ବିଜେ କରିଥିବା ଶ୍ରୀଜିଉଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ। ଏହି ସମୟରେ ପଟିଦିଅଁଙ୍କଠାରେ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ ହେବ। ଭୋର ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା ୨୫ରେ ମଇଲମ, ୭ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ । ସକାଳ ସାଢ଼େ ୭ଟାରେ ଶ୍ରୀଜିଉଙ୍କ ଅଣସର ସମୟରେ ପୂଜା ପାଉଥିବା ପଟିଦିଅଁ(ଦଶାବତାର)ଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସକାଳ ୮ଟାରେ ଶ୍ରୀମନ୍ଦିରରୁ ଅଣସର ତାଟି ଫିଟିବ । ଅଣସର ତାଟି ଫିଟିବା ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବେ। ବେଶ ଦର୍ଶନ ପାଇଁ ପ୍ରତିବର୍ଷ ପରିମାଣିକ ଦର୍ଶନ ଓ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଥାଏ । କିନ୍ତୁ କୋଭିଡ୍‌ କଟକଣା ପାଇଁ ଚଳିତବର୍ଷର ଏହି ଦର୍ଶନ ବନ୍ଦ ରଖାଯାଇଛି । ଏହା ପରେପରେ ପଟିଦିଅଁଙ୍କ ବଦଳରେ ଶ୍ରୀଜିଉଙ୍କଠାରେ ପରବର୍ତ୍ତୀ ଦୈନନ୍ଦିନ ନୀତିକାନ୍ତି ଚାଲିବ।

ସୂଚନାଯୋଗ୍ୟ, ଶ୍ରୀଜିଉଙ୍କୁ ୪ଟି ସ୍ଥାନରେ ମହାପ୍ରସାଦ ଲାଗି ହୋଇଥାଏ । ରତ୍ନବେଦି, ଅଣସର ପିଣ୍ଡି, ସ୍ନାନବେଦି ଓ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହୋଇଥାଏ । ଆଜି ଅଣସର ପିଣ୍ଡିରେ ଥିବା ଅବସ୍ଥାରେ ମହାପ୍ରଭୁଙ୍କଠାରେ ମହାପ୍ରସାଦ ଲାଗି ହେବ ବୋଲି ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe