ବିନା ଭକ୍ତରେ ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ।  ୩ଦିନ ଧରି ହେବ ନେତ୍ର ଉତ୍ସବ । ସୋମବାର ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ।

102

କନକ ବ୍ୟୁରୋ: ଦୀର୍ଘ ୧୫ ଦିନ ଅଣସର ଘରେ ରହିବା ପରେ ଆଜି ଫିଛିଟି ଅଣସର ତାଟି । ବଡ ଦେଉଳରେ ଚାଲିଛି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଦୁଲର୍ଭ ସଂଯୋଗ ଯୋଗୁଁ ତିନି ଦିନ ଧରି ନବଯୌବନ ବେଶରେ ଦର୍ଶନ ଦେଉଛନ୍ତିି ଶ୍ରୀବିଗ୍ରହ । ଅଣସର ଘରେ ଗୁପ୍ତ ସେବା ପାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ଗୁରୁବାର ରାତିରେ ଖଡି ଲାଗି ସହ ବନକଲାଗି ନୀତି ସମ୍ପର୍ଣ୍ଣ ହୋଇଥିଲା । ତାପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ।

କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କର ଏହି ଦୁଲର୍ଭ ବେଶର ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ । କଟକଣା ଯୋଗୁଁ କେବଳ ସେବାୟତମାନେ ହିଁ ମହାପ୍ରଭୁଙ୍କ ନବଯୌବନ ବେଶର ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ତେବେ ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରୁ ପତିପାବନଙ୍କ ଦର୍ଶନ କରି ଫେରିଛନ୍ତି ଶ୍ରଦ୍ଧାଳୁ ।

ଘୋଷଯାତ୍ରା ପାଇଁ ପ୍ରସ୍ତୁତ ହୋଇଗଲାଣି ରଥ । ଶ୍ରୀଗୁଣ୍ଡିଚା ଦିନ ଏହି ରଥରେ ବସି ମାଉସୀ ମା ଘରକୁ ଯିବେ ଭାଇ-ଭଉଣୀ ସୁଭଦ୍ରାଙ୍କୁ ନେଇ କାଳିଆ ସାଆନ୍ତ । କୋଭିଡ୍ କଟକଣା ଯୋଗୁଁ ବଡଦାଣ୍ଡକୁ ଆସି ମହାପ୍ରଭୁଙ୍କ ଏହି ଯାତ୍ରାକୁ ସିଧାସଳଖ ଦେଖି ନପାରିଲେ ମଧ୍ୟ ଟିଭି ମାଧ୍ୟମରେ ଦେଖିପାରିବେ ଶ୍ରଦ୍ଧାଳୁ । ହେଲେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଯୋଗୁଁ ରଥଯାତ୍ରା ଦିନ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୧୨ ତାରିଖରେ ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୧ ତାରିଖ ରାତି ୮ରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ଜାରି କରିବ ପୁରୀ ପ୍ରଶାସନ । ସେଇଥିପାଇଁ ଶନିବାର ପୁରୀ ସହର ପାଇଁ ସଟଡାଉନ କଟକଣାକୁ କୋହଳ କରାଯାଇଛି ।