ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ବିଜେଡି ! ଛିଣ୍ଡୁନି ବ୍ରଜରାଜନଗର ଅଙ୍କ । ରାତି ଅଧିଆ ନବ ଦାସଙ୍କୁ ନବୀନ ନିବାସରୁ ଆସିଲା ଡାକରା ।

587

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ମୋଟ ୯ଟି ଲୋକସଭା ଆସନ ଏବଂ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଆଉ ଏହାରି ମଧ୍ୟରେ ୯ଟି ବିଧାନସଭା ଆସନକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ବିଜେଡି ସୁପ୍ରିମୋ । ଯେଉଁଥିପାଇଁ ରାତି ଅଧିଆ ନବ ଦାସଙ୍କୁ ଡାକରା ଦିଆଯାଇଛି ।

ବ୍ରଜରାଜନଗର ଆସନ କାହାକୁ ଦିଆଯିବ, ସେନେଇ ବିଜେଡିରେ ଲାଗି ରହିଛି ଦ୍ୱନ୍ଦ୍ୱ । ଆଜି ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ନବୀନ ନିବାସରେ ଚାଲିଥିଲା ତୁହାକୁ ତୁହା ମିଟିଂ । ତଥାପି କାହାକୁ ପ୍ରାର୍ଥୀ କରାଯିବ, ସେନେଇ ନିଷ୍ପତ୍ତି ହୋଇପାରିନାହିଁ । ଏହି ନିଷ୍ପତ୍ତି ଆସନ୍ତାକାଲିକୁ ରଖାଯାଇଥିବା ବେଳେ, ଆଜି ରାତି ଅଧିଆ ନବ ଦାସଙ୍କୁ ନବୀନ ନିବାସରୁ ଡାକରା ଆସିଛି । ଆସନ୍ତାକାଲି ଦିନ ୧୦ଟା ସୁଦ୍ଧା ନବୀନ ନିବାସରେ ହାଜର ହେବାକୁ ନବ ଦାସଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ବ୍ରଜରାଜନଗର ଅଙ୍କ ଛିଣ୍ଡାଇବାରେ ନବଙ୍କ ସହଯୋଗ ନିଆଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି । ତେଣୁ ଆସନ୍ତାକାଲି ଜଣାପଡିବ ଏହି ଆସରୁ କାହାକୁ ପ୍ରାର୍ଥୀ କରୁଛି ବିଜେଡି ।