ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ଭଳି ସ୍ଥିତି ଓଡ଼ିଶାରେ ନାହିଁ ।

157

କନକ ବ୍ୟୁରୋ: ଗତ ୨୪ ଘଂଟା ଭିତରେ ସାରାଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆମେ ଚିନ୍ତା କରିବା ଉଚିତ୍ କି? ଏହିଭଳି ପ୍ରଶ୍ନ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ମହାରାଷ୍ଟ୍ର ଭଳି ସ୍ଥିତି ଓଡିଶାରେ ନାହିଁ । ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ କରୋନା ନିୟନ୍ତ୍ରଣରେ ରହିଛି । ସେପଟେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି ଯେ, ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର ଓ କେରଳରୁ ଯାତ୍ରୀଙ୍କ ଓଡିଶା ପ୍ରବେଶ ଉପରେ କଟକଣା ରହିଛି । ଅର୍ଥାତ ସେମାନେ ସାଙ୍ଗରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ସାଙ୍ଗରେ ଧରି ଆସୁଛନ୍ତି । ସେହିପରି ଟ୍ରେନରେ ଆସୁଥିବା ଯାତ୍ରୀଙ୍କଠାରେ ଲକ୍ଷଣ ଥିଲେ ନମୂନା ସଂଗ୍ରହ କରି ଆରଟିପିସିଆର ଟେଷ୍ଟ କରିବାକୁ କୁହାଯାଇଛି । ପରିସ୍ଥିତିକୁ ଦେଖି ଏହି କଟକଣାର ପରିସରକୁ ବୃଦ୍ଧି କରାଯାଇପାରେ ବୋଲି ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଏପଟେ ରାଜ୍ୟରେ କରୋନା ଟିକାକରଣ ଜୋରସୋରରେ ଆଗେଇ ଚାଲିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜରେ ୯୧ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ୮୨ ପ୍ରତିଶତ ଆଗ ଧାଡିର କରୋନା ଯୋଦ୍ଧା ଟିକା ନେଇଛନ୍ତି । ଯାହା ସାରାଦେଶରେ ଦ୍ୱିତୀୟ ସର୍ବାଧିକ । ରାଜ୍ୟରେ ପ୍ରାୟ ୫୦ ଲକ୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଓ ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ଲୋକ ରହିଛନ୍ତି । ଯେଉଁମାନଙ୍କ ଟିକାକରଣ ଆଗାମୀ ମେ’ ମାସ ୧୫ ତାରିଖ ସୁଦ୍ଧା କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।