କନକ ବ୍ୟୁରୋ: ନବ ଦାସଙ୍କ ହତ୍ୟାକୁ ନେଇ ରାଜରାସ୍ତାରେ ସରକାରଙ୍କୁ ବିରୋଧୀ ଘେରିବା ପରେ, ଏବେ ବିଧାନସଭାରେ ଘେରିବା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ରଣନୀତି । ବିଜେପି ଗୃହରେ ନବ ଦାସଙ୍କ ହତ୍ୟାକାଣ୍ଡ, ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବ ବୋଲି ପୁଣି ଥରେ ଦୋହରାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେହିପରି କଂଗ୍ରେସ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ଘେରିବାକୁ ରଣନୀତି କରିଛି । ଏଥିସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚର ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀଙ୍କ ମୁକାବିଲ ପାଇଁ ଶାସକ ଦଳ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ଚଳାଇଛି । ବିରୋଧୀ ଦଳ ନେତା ଆଇଆଇସିଙ୍କୁ ଧକ୍କା ମାରିବା, ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମନା କରିବା ପରେ କେନ୍ଦ୍ର ବିରୋଧରେ ଗର୍ଜିବାକୁ ଯୋଜନା କରିଛି ବିଜେଡି ।
ବଜେଟ ଅଧିବେଶନ କେମିତି ସୁରୁଖୁରରେ ଚାଲିିବ ସେଥିପାଇଁ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ମୋଟ ୧୫ଟି ବିଷୟ ଉପରେ ଆଲୋଚନା ହୋଇଥିଲା । କିନ୍ତୁ ଯେଉଁମାନେ ଅଧିବେଶନର ଯୋଗଦେଇ ନପାରିବେ, ସେମାନେ ଭର୍ଚୁଆଲମୋଡରେ ସାମିଲ ହୋଇପାରିବେ ବୋଲି ବାଚସ୍ପତି କହିଥିଲେ । ଯାହାକୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପରିକି ତାଙ୍କ କଥା ନରହିବାରୁ ସେ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବୈଠକ ବର୍ଜନ କରିଥିଲେ । ବାହାରକୁ ଆସି କହିଥିଲେ, ସମସ୍ତେ ଗୃହକୁ ଆସି ଭାଗନେବା ଆବଶ୍ୟକ । ସଂସଦ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଭର୍ଚୁଆଲ ବ୍ୟବସ୍ଥା ନାହିଁ । ଓଡ଼ିଶା ବିଧାନସଭାରେ ଏଭଳି ବ୍ୟବସ୍ଥା କାହିଁକି? ତେବେ ଯେଉଁମାନେ ଅସୁସ୍ଥ ରହିବେ ସେମାନଙ୍କ ପାଇଁ ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଜୋସରେ ରହିଛନ୍ତି । ଅନ୍ୟପଟେ ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଡେରା ପକାଇଲେଣି ବିଭିନ୍ନ ସଂଗଠନ । ତେଣୁ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ ଯାଂଚ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ । ତେବେ ବିଧାନସଭା ସୁରୁଖୁରରେ ଚାଲୁଛି କି ପୂର୍ବଭଳି ବିରୋଧୀ ଓ ଶାସକ ଦଳ ସଦସ୍ୟଙ୍କ ହଙ୍ଗାମାରେ ଧୋଇଯାଉଛି ତା ଉପରେ ସାରାରାଜ୍ୟର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/22-22.jpg)