କନକ ବ୍ୟୁରୋ : ବିଧାନସଭାରେ ନବ ଦାସଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ଏହାର ଜବାବ ରଖିଲା ଶାସକ ବିଜେଡି । ଶୂନ୍ୟକାଳରେ ନବ ଦାସଙ୍କ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଗୃହରେ ଜୟନାରାୟଣ କହିଛନ୍ତି ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ଷାଠିଏ ଦିନ ବିତିଲାଣି । ହତ୍ୟାର ଉଦେଶ୍ୟ ଏବଂ ଏହା ପଛରେ କିଏ ତାହା ଜଣା ପଡ଼ିଲା ନାହିଁ । ଏଥିରୁ ଓଡିଶା ପୋଲିସର ପାରିବା ପଣିଆ ଜଣାପଡିଲା । ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି । ପ୍ରତ୍ୟେକ ହତ୍ୟାର ଉଦେଶ୍ୟ ଥାଏ, ଏହାକୁ ଅପରାଧିକ ଷଡଯନ୍ତ୍ର ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ । ରାଜ୍ୟରେ ଏଫବିଆଇ ତଦନ୍ତର ନଜିର ନାହିଁ । ତେଣୁ ଏହା ଏକ ବିଶ୍ୱସ୍ତରୀୟ ହତ୍ୟା ସେଥିପାଇଁ ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ ।
ବିଧାନସଭା ସରିଗଲେ କଥାକୁ ଚପାଇ ଦିଆଯିବ । ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୋଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି । ଏହାର ନିର୍ୟାସ ବାହାରୁ ନାହିଁ, ଗୃହର ଆବଶ୍ୟକତା ବା କଣ ? ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି । ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି ।
ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ସେଥିରେ ମୁଁ ସହମତ । ବାରମ୍ବାର ଏହି ପ୍ରସଙ୍ଗ ଉଠା ଯାଉଛି, ଆଜିକୁ ଷାଠିଏ ଦିନ ହେଇଗଲା । ଏସସିବିର ମେଡିକାଲ ଏକ୍ସପର୍ଟ କମିଟି ରିପୋର୍ଟ ଅନୁଯାୟୀ ଗୋପାଳ ପାଗଳ ନୁହେଁ । କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ । ଏଫବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରିଥିବା କଥା କହୁଛନ୍ତି, ସେହି ତଦନ୍ତରେ ଗୋପଳ ପାଗଳ କି ନୁହେଁ ତାହାର ତଦନ୍ତ ହେବ । ଷାଠିଏ ଦିନ ପରେ ହତ୍ୟା ଷଡଯନ୍ତ୍ରର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ ବୋଲି କହି ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ।
ଅନ୍ୟପଟେ ବିରୋଧୀଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି, ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ ଅନୁସାରେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ସବୁ ଫରୋମରେ ସରକାର ଆଲୋଚନା କରିଛନ୍ତି । ଯେଉଁମାନଙ୍କ ପାଗଳାମି ଥାଏ ସେମାନେ ଗୋଟେ କଥା ବାରମ୍ବାର କୁହନ୍ତି। ଯେତେବେଳେ ଜଣେ ପାଗଳ ହୋଇଯାଏ ସବୁବେଳେ ଗୋଟିଏ କଥାକୁ ବାରମ୍ବାର କହେ। ଗୋଟିଏ କଥାକୁ ନେଇ ରାଜନୀତି କରେ। ସେମାନେ ଗୋପାଳକୁ ପାଗଳ କହି କହି ନିଜେ କେତେବେଳେ ପାଗଳ ହୋଇଯିବେ ବୋଲି କଟାକ୍ଷ କରିଛନ୍ତି ଅରୁଣ ସାହୁ ।
Follow Us