କନକ ବ୍ୟୁରୋ : ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିବା ପରେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ବିରୋଧୀଦଳ କହିଛି କି ଏହା ଏକ ଯୋଜନାବଦ୍ଧ ହତ୍ୟା । ହେଲେ ବିରୋଧୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ନବଦାସଙ୍କ ପତ୍ନୀ । ସେ କହିଛନ୍ତି କି ମୋର ସ୍ୱାମୀଙ୍କୁ ପ୍ରି-ପ୍ଲାନ ମର୍ଡର କରାଯାଇଛି କାରଣ ଏହାର ଆଗରୁ ମୋତେ ମୋର ସ୍ୱାମୀ ତାଙ୍କର ବହୁତ ଶତ୍ରୁ ଅଛନ୍ତି ବୋଲି କହିଥିଲେ ।

Advertisment

ସେପଟେ ନବଦାସଙ୍କ ପୁଅ ମଧ୍ୟ ସମାନ କଥା କହିଛନ୍ତି । ସେ କହିଛନ୍ତି କି ଜାନୁଆରୀ ୨୯ତାରିଖରେ ସମ୍ବଲପୁରରେ ଥିଲି । ଦିନ ୧୨ଟା ୨୧ରେ ବାପାଙ୍କ ସହ କଥା ହୋଇଥିଲି । ତାର ଠିକ୍ ପାଂଚ ମିନିଟ୍ ପରେ ମୋର କଜିନ୍ ଫୋନ କରି କହିଲେ ବ୍ରଜରାଜନଗରରେ ବାପାଙ୍କୁ କିଏ ଗୁଳି କରି ଦେଇଛି । ତାପରେ ଝାରସୁଗୁଡା ଓ ସେଠାରୁ ଭୁବନେଶ୍ୱର ଗଲୁ । ସେଠାରେ ମୋ ବାପାଙ୍କ ଦେହାନ୍ତ ହୋଇଗଲା । ମୋ ବାପାଙ୍କୁ ପ୍ରି-ପ୍ଲାନ ମର୍ଡର କରଯାଇଛି । କାରଣ ବ୍ରଜରାଜନଗରରେ ମୋ ବାପାଙ୍କର ବିରୋଧୀ ଥିଲେ ।

ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଂଚ ଦାଖଲ କରିଥିବା ଚାର୍ଜସିଟ୍ ସାମନାକୁ ଆସିବା ପରେ, ବର୍ଷିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କଟାକ୍ଷ କରି କହିଛନ୍ତି, ନବ ଦାସଙ୍କ ହତ୍ୟା କାଣ୍ଡ ଏକ ପ୍ରି-ପ୍ଲାନ ମର୍ଡର ଓ ପ୍ରି-ପ୍ଲାନ ଚାର୍ଜସିଟ୍ । ନବ ଦାସଙ୍କ ସ୍ତ୍ରୀ ଓ ପୁଅ ଯାହା କହିଛନ୍ତି, ପୂର୍ବରୁ ସେ ସେହି କଥା କହି ଆସୁଛନ୍ତି । ଷଡଯନ୍ତ୍ର ଦିଗକୁ ଯାଇନାହିଁ କ୍ରାଇମବ୍ରାଂଚ । ପୋଲିସ ପ୍ରଶାସନ ଉପରୁ ଲୋକଙ୍କ ବିଶ୍ୱାସ ତୁଟିଯିବ ।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ଚାର୍ଜସିଟକୁ ନେଇ ସମାଲୋଚନା କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା ।

ଅନ୍ୟପଟେ କ୍ରାଇମବ୍ରାଂଚ ଚାର୍ଜସିଟରେ ଉଲେଖ କରିଥିବା ଗୋପାଳ ଲଣ୍ଡା ହେବା ଥିଓରୀକୁ ଖଣ୍ଡନ କରିଛନ୍ତି ଭାଇ ସତ୍ୟନାରାୟଣ । କହିଛନ୍ତି, ତାଙ୍କର ମାନସିକ ପୂରଣ ହେବା ପରେ ସେ ମନ୍ଦିରକୁ ଯାଇ ମୁଣ୍ଡନ ହୋଇଥିଲେ   । ସାଂଗରେ ଭାଇ ଗୋପାଳ ବି ଲଣ୍ଡା ହୋଇଥିଲେ । ଏଥିରେ ନବ ଦାସଙ୍କ ହତ୍ୟାର କୌଣସି ଲିଙ୍କ ନାହିଁ ।