କନକ ବ୍ୟୁରୋ : ଗୋପାଳର ନୂଆ ଠିକଣା ଏବେ ଚୌଦ୍ୱାର ଜେଲ୍ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ୱାରର ସର୍କଲ ଜେଲରେ ରଖାଯାଇଛି । ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଥିଲା । ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲର ସେଲ ନମ୍ବର ୩ରେ ରଖାଯାଇଛି ।

Advertisment

କେହି ମୁଲାକାତ କରିବାକୁ ଆସିଲେ କେବଳ ସେ ସେଲରୁ ବାହାରିବ । ନହେଲେ ଏହି ସେଲରେ ହିଁ ୨୪ ଘଣ୍ଟା ରହିବ ଗୋପାଳ ଦାସ । ଗୋପାଳର ସେଲରେ ସିସି କ୍ୟାମେରା ଲଗାଯାଇଛି । ଫଳରେ ସିଧା ଜେଲ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଗୋପାଳ ଉପରେ ନଜର ରଖାଯାଇପାରିବ । ଚୌଦ୍ୱାର ଜେଲରେ ଗୋପାଳ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଗୋପାଳର ସୁରକ୍ଷାରେ ତିନିଟି ସିଫ୍ଟାରେ ୮ ଘଣ୍ଟା ଲେଖାଏଁ ଜେଲ କର୍ମଚାରୀ ନିୟୋଜିତ ହେବେ । ପ୍ରତି ସିଫ୍ଟରେ ଜଣେ ଏଏସ୍ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।

ଗୋପାଳର ଆଚରଣ ସଂପର୍କରେ ପ୍ରତି ସିଫ୍ଟରେ ଜେଲ ଅଧିକ୍ଷକଙ୍କୁ ରିପୋର୍ଟ ଦିଆଯିବ । ସେହିପରି ଜେଲ ଅଧୀକ୍ଷକ ଗୋପାଳ ସମ୍ପର୍କରେ ଜେଲ ଡିଜିଙ୍କୁ ନିୟମିତ ବ୍ୟବଧାନରେ ରିପୋର୍ଟ ପ୍ରଦାନ କରିବେ । ଏହା ସହ ପ୍ରତିଦିନ ଜେଲରେ ଥିବା ଡାକ୍ତରମାନେ ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଝାରସୁଗୁଡ଼ା ଜେଏମ୍ଏଫସିରେ ମାମଲରେ ବିଚାରାଧୀନ ଥିବାରୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ନିଆଯିବ ନାହିଁ । ଗୋପାଳର ଜୀବନ ପ୍ରତି ବିପଦ ଥିବାରୁ ଚୌଦ୍ୱାର ଜେଲ ପରିସରରେ ହିଁ ଭିଡିଓ କନଫରେନ୍ସି ମାଧ୍ୟମରେ ମାମଲାର ଶୁଣାଣି ହେବ ।