କନକ ବ୍ୟୁରୋ : ଝାରସୁଗୁଡା ଉପକାରାଗାର ଗଲା ଅଭିଯୁକ୍ତ ଗୋପାଳ ଦାସ । ସୁରକ୍ଷା ଦୃଷ୍ଟିକୋଣରୁ ଗୋପାଳକୁ ଝାରସୁଗୁଡ଼ା ସବଜେଲରେ ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲରେ ରଖାଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ସେଲ୍ରେ ଗୋପାଳ ଏକା ରହୁଥିବା ବେଳେ ତା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି । ତେବେ ଅନ୍ୟ କଏଦୀଙ୍କ ପରି ସେ ସମ୍ପୃକ୍ତ ବ୍ଲକରୁ ବାହାରିପାରିବ ନାହିଁ ।

Advertisment

ଏଥିପାଇଁ ଜେଲ୍ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜେଲ୍ ପକ୍ଷରୁ କୁହାଯାଇଛି । ଗତକାଲି ୧୬୪ ଧାରାରେ ବୟାନ ରେକର୍ଡ କରାଯିବା ସହ ପୂରା ଘଟଣାର ଭିଡିଓଗ୍ରାଫି କରାଯାଇଛି । କ୍ରାଇମବ୍ରାଞ୍ଚ ଅଧିକ ରିମାଣ୍ଡ ନେଇ କୌଣସି ଆବେଦନ ନକରିବା ପରେ ଝାରସୁଗୁଡ଼ା ଉପକାରାଗାରକୁ ସ୍ଥାନାନ୍ତର କରିଦିଆଯାଇଛି । ଅଭିଯୁକ୍ତ ଗୋପାଳର ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରିବା ପାଇଁ ଜେଲ ବିଭାଗ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ଏହା ପରେ ଗୋପାଳକୁ ଚୌଦ୍ୱାର ଜେଲ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେପଟେ ଆସନ୍ତା ସପ୍ତାହରେ କୋର୍ଟରେ ଦାଖଲ ହୋଇପାରେ ନାର୍କୋ ଟେଷ୍ଟ ରିପୋର୍ଟ । ନାର୍କୋ ଟେଷ୍ଟ ରିପୋର୍ଟରେ କ’ଣ ରହିଛି । ଗୋପାଳ ତାର ବୟାନରେ କ’ଣ କହିଛି, ତାହା ଆସନ୍ତା ସପ୍ତାହରେ ଜଣାପଡ଼ିବ । ବର୍ତ୍ତମାନ ସୁଦ୍ଧା ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ଉପରୁ ପରଦା ହଟାଇ ପାରିନାହାନ୍ତି । ହେଲେ କେଉଁ କାରଣ ପାଇଁ ଗୋପାଳ ଏପରି କାଣ୍ଡ ଘଟାଇଲା ତାହା ନାର୍କୋ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ଥିବା କୁହାଯାଉଛି ।