କନକ ବ୍ୟୁରୋ : ଗୋପାଳ ବିରୋଧରେ କ୍ରାଇମବ୍ରାଞ୍ଚ କରିଥବା ଚାର୍ଜସିଟକୁ ଆଈ ମା’ କାହାଣୀ ବୋଲି କହିଛନ୍ତି ଆଇନଜୀବୀ । ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ପ୍ରମାଣ, ପାରିପାର୍ଶ୍ୱିକ ପ୍ରମାଣ, ହତ୍ୟାର କାରଣ ଓ ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଆଜି ଗୋପାଳ ବିରୋଧରେ ଚାର୍ଜଫ୍ରେମ ବେଳେ ଝାରସୁଗୁଡା ପୋଲିସର ବଡ଼ ବଡ଼ ଅଧିକାରୀ ଉପସ୍ଥିତ ଥିଲେ । କିନ୍ତୁ ହତ୍ୟାକାଣ୍ଡରେ ଗୋପାଳର ପ୍ରତ୍ୟକ୍ଷ ସମ୍ପୃକ୍ତି ନେଇ ସେମାନେ କୌଣସି ପ୍ରମାଣ ଦେଇନଥିବା କହିଛନ୍ତି ଆଇନଜୀବୀ ।

ହତ୍ୟାର ଉଦ୍ଦେଶ୍ୟ ନେଇ ମଧ୍ୟ ସେମିତି କୌଣସି ବଳିଷ୍ଠ ପ୍ରମାଣ ନାହିଁ । ନବ ଦାସଙ୍କ ଗାଡି ଅଟକାଇବାରୁ ଗୋପାଳ ଉପରେ ନବ ଦାସଙ୍କ ରାଗକଥା ୧୦ ବର୍ଷ ପୁରୁଣା । ସେହିପରି ହତ୍ୟା ପାଇଁ ମାନସିକ ରଖି ଗୋପାଳ ସମଲେଇ ମନ୍ଦିରରେ ମୁଣ୍ଡନ ହେବା କଥାକୁ ତାଙ୍କ ଭାଇ ଅସ୍ୱୀକାର କରିଥିବା ଯୁକ୍ତି ବାଢିଛନ୍ତି ଆଇନଜୀବୀ । ସୁନା ମୁଦି ବିକ୍ରି କରିବା କଥାକୁ ମଧ୍ୟ ଗୋପାଳଙ୍କ ଭାଇ ବିଭିନ୍ନ ଗଣମାଧ୍ୟମରେ ଖଣ୍ଡନ କରିଛନ୍ତି । ଏସବୁ ଦୃଷ୍ଟିରୁ କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଏକ କପୋଳକଳ୍ପିତ କାହାଣୀ ବୋଲି ଆଇନଜୀବୀ କହିଛନ୍ତି ।