ଅଲଗା ହୋଇଗଲେ ଜଗାକାଳିଆ । ଜଗାକୁ ଏକା କରି ଆରପାରିକୁ ଚାଲିଗଲା କାଳିଆ, ଭିଟାମାଟିରେ ହେଲା ଅନ୍ତିମ ସଂସ୍କାର ।

340

କନକ ବ୍ୟୁରୋ : କନ୍ଧମାଳର ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି । ନିଜ ଭିଟାମାଟି ଫିରିଙ୍ଗିଆ ମିଲୁପଡାରେ ଶବଦାହ ହୋଇଛି । ଗତକାଲି ରାତି ୯ଟାରେ ଏସିବିରେ ଆଖି ବୁଜିଥିଲା କାଳିଆ । ଆଜି ଭୋର୍ ୫ଟା ବେଳେ ମିଲୁପଡାରେ ପହଞ୍ଚିଥିଲା କାଳିଆର ମୃତଦେହ ।

ଜଗା-କାଳିଆ କଥା କହିଲେ ମନକୁ ଆପଣା ଛାଏଁ ଚାଲି ଆସୁଥିଲା, କନ୍ଧମାଳର ଦୁଇ ନିଷ୍ପାପଙ୍କ ଚେହେରା । ଯୋଡ଼ା-ଯୋଡ଼ି ହୋଇ ଦୁଇ ଭାଇ ଦୁନିଆକୁ ସିନା ଆସିଥିଲେ, ହେଲେ ବେଶୀ ଦିନ ସାଙ୍ଗ ହୋଇ ରହିପାରିଲେନି । ଚିକିତ୍ସା ବିଜ୍ଞାନରେ ଯେଉଁ ଦୁଇ ଭାଇ ଦିନେ ସଫଳତାର ସ୍ମାରକୀ ଥିଲେ, ସେମାନେ ଏବେ ଅଲଗା ହୋଇଯାଇଛନ୍ତି । ଜଗା ଅଛି, କାଳିଆ ଚାଲିଯାଇଛି । ଏମିତି ଏକ ଦୁନିଆକୁ ଚାଲିଯାଇଛି, ଯେଉଁଠୁ କେହି କେବେ ଫେରିନାହାନ୍ତି ।

କନ୍ଧମାଳର ଚର୍ଚ୍ଚିତ ଯୋଡାମୁଣ୍ଡା ଶିଶୁ କାଳିଆର ମୃତ୍ୟୁ ପରେ ଶୋକାକୂଳ ପରିବେଶ ମଧ୍ୟରେ ଆଜି ସରିଛି ଅନ୍ତିମ ସଂସ୍କାର । ନିଜ ଭିଟାମାଟି ମିଲୁପଡାରେ କରାଯାଇଛି ଶବଦାହ । ବୁଧବାର ରାତି ୯ଟାରେ ଏସିବିରେ ଆଖି ବୁଜିଥିଲା କାଳିଆ । ମୃତ୍ୟୁ ଖବର କନ୍ଧମାଳ ମିଲୁପଡାରେ ପହଞ୍ଚିବା ପରେ ଶୋକର ଛାୟା ଖେଳିଯାଇଥିଲା ।

ଏପଟେ କାଳିଆର ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏମ୍ସରୁ ବାହାରିବା ପରେ କାଳିଆର ଦେହ ଭଲ ନଥିଲା । ତା ଚିକିତ୍ସା ପାଇଁ ବହୁତ ଚେଷ୍ଟା କରାଯାଇଥିଲା । ଏବେ ଜଗା ସୁସ୍ଥ ଅଛି । ଯଦି ତାର ଦେହ ଖରାପ ହୋଇ ବାହାରକୁ ଯିବାର ଆବଶ୍ୟକ ପଡ଼େ ତେବେ ଏମ୍ସ ପଠାଯିବ । ଜଗାର ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।