କନକ ବ୍ୟୁରୋ : ଆଜିଠୁ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚନ୍ଦ୍ରବାବୁ ନାଇଡୁଙ୍କ ସହ ଜନସେନା ପାର୍ଟିର ମୁଖ୍ୟ ପବନକଲ୍ୟାଣ ମଧ୍ୟ ନୂଆ ସରକାରରେ ଶପଥ ନେଇଛନ୍ତି । ସେହିଭଳି ଟିଡିପିର ନାରା ଲୋକେଶ ମଧ୍ୟ ଶପଥଗ୍ରହଣ କରିଛନ୍ତି । ଚଳିତ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଦମଦାର ପ୍ରଦର୍ଶନ କରିଥିଲା ଟିଡିପି । ବିଧାନସଭାରେ ୧୭୫ ଆସନରୁ ୧୩୫ ଆସନରେ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ଦଳ । ସେହିଭଳି ଲୋକସଭାରେ ୧୬ଟି ଆସନ ହାତେଇଛି ଦଳ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ବଡ ଘୋଷଣା କରିଥିଲେ । ଅମରାବତୀ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ହେବ ବୋଲି ସ୍ପଷ୍ଟ କରିଥିଲେ ଚନ୍ଦ୍ରବାବୁ ନାଇଡୁ ।