ସାଂସଦ ପାଇଲେ ଶୂନ ! ବିତର୍କ କିମ୍ବା ପ୍ରଶ୍ନ ପଚାରିବାରେ ଆଦୌ ଭାଗ ନେଇନାହାନ୍ତି ଏନ୍. ଭାସ୍କର ରାଓ

31

କନକ ବ୍ୟୁରୋ : ରାଜ୍ୟସଭାରେ ଓଡ଼ିଶାର ୧୦ଜଣ ସାଂସଦ ରହିଥିବା ବେଳେ ଏଥିରୁ କିଛି ସାଂସଦଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି । ବର୍ଷେରୁ ଅଧିକ ସମୟ ଧରି ରାଜ୍ୟସଭା ଗଲା ପରେ ବି ଏନ୍. ଭାସ୍କର ରାଓ ଗୋଟିଏ ହେଲେ ବି ବିତର୍କରେ ଭାଗ ନେଇନାହାନ୍ତି । ଏପରିକି ଗୋଟିଏ ପ୍ରଶ୍ନ ବି ପଚାରିନାହାନ୍ତି । ଅନ୍ୟପଟେ ଦିଲ୍ଳୀପ ତିର୍କୀଙ୍କ ଭଳି କିଛି ସାଂସଦ ଜାତୀୟ ହାରଠାରୁ ଅଧିକ ବିତର୍କରେ ଭାଗ ନେଇଥିବା ବେଳେ ଅଧିକ ପ୍ରଶ୍ନ କରିଥିବା ଦେଖାଯାଇଛି ।

ଏନ୍. ଭାସ୍କର ରାଓ :
ଗତ ବର୍ଷ ଜୁଲାଇ ମାସରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ଅବ୍ୟାହତି ନେଇ ରାଜ୍ୟସଭା ଯାଇଥିଲେ ଏନ୍. ଭାସ୍କର ରାଓ । ତାଙ୍କରି ସମୟରେ ରାଜ୍ୟସଭା ଯାଇଥିବା ସାଂସଦମାନେ ଜାତୀୟ ସ୍ତରରେ ହାରାହାରି ୨୨ଟି ବିତର୍କରେ ଭାଗ ନେଇଥିବା ବେଳେ ରାଓ କୌଣସି ବିତର୍କରେ ଭାଗ ନେଇନାହାନ୍ତି । ସେହିଭଳି ସେହିସମୟ ମଧ୍ୟରେ ସାଂସଦମାନେ ହାରାହାରି ୭୭ଟି ପ୍ରଶ୍ନ କରିଥିବା ବେଳେ ରାଓ କୌଣସି ପ୍ରଶ୍ନ ବି କରିନାହାନ୍ତି ।

ଦିଲୀପ ତିର୍କୀ :
ଅନ୍ୟପଟରେ ବିତର୍କରେ ଭାଗ ନେବା ଓ ପ୍ରଶ୍ନ କରିବାରେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ଦିଲୀପ ତିର୍କୀ ସବୁଠାରେ ଆଗରେ ରହିଥିବା ଦେଖାଯାଇଛି । ଦିଲୀପ ୧୨୫ଟି ବିତର୍କରେ ଭାଗ ନେଇଥିବା ବେଳେ ୩୩୫ଟି ପ୍ରଶ୍ନ କରିଛନ୍ତି । ଯେତେବେଳେ କି ଜାତୀୟ ସ୍ତରରେ ଏହି ସମୟ ମଧ୍ୟରେ ବିତର୍କର ହାର ୭୩.୫ ଥିବା ବେଳେ ପ୍ରଶ୍ନ କରିବାର ହାର ୩୦୬ ରହିଛି । ସେହିଭଳି ଏ.ୟୁ. ସିଂହଦେଓ ୪୨ଟି ବିତର୍କରେ ଭାଗ ନେଇଥିବାବେଳେ ୩୧୪ଟି ପ୍ରଶ୍ନ କରିଛନ୍ତି । ଅନୁଭବ ମହାନ୍ତି ୩୩ଟି ବିତର୍କରେ ଭାଗ ନେଇଥିବା ବେଳେ ୩୩୮ଟି ପ୍ରଶ୍ନ କରିଛନ୍ତି ।

ଲୋକସଭାରେ ପ୍ରାୟ ଦୁଇ-ତୃତୀୟାଂଶ ସାଂସଦଙ୍କ ପ୍ରଦର୍ଶନ ଜାତୀୟ ସ୍ତରଠାରୁ ପଛରେ ରହିଥିବା ବେଳେ ରାଜ୍ୟସଭାରେ ଅଧିକାଂଶ ସାଂସଦଙ୍କ ପ୍ରଦର୍ଶନ କିଛିଟା ସନ୍ତୋଷଜନକ ରହିଥିବା କୁହାଯାଇପାରିବ ।