ଅର୍ଜେଣ୍ଟ ମିଟିଙ୍ଗ କହି ଡାକିଲେ ,ସାଙ୍ଗରେ ନେଇ ମାର୍କେଟିଂ କଲେ । ଫେରିବା ବାଟରେ ତଣ୍ଟି ଚିପି ମାରିଲେ

324

କନକ ବ୍ୟୁରୋ: ମମିତା ମୃତ୍ୟୁ ଘଟଣାରେ ଚମକାଇଦେଲା ଭଳି ସତ ଉଗାଳିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ମମିତାଙ୍କୁ ପୁରା ଫିଲ୍ମ ଷ୍ଟାଇଲରେ ହତ୍ୟା କରାଯାଇଥିବା ପୋଲିସ ଆଗରେ ଗୋବିନ୍ଦ ସାହୁ ପ୍ରକାଶ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ୮ ତାରିଖରେ ଏକ ଅର୍ଜେଣ୍ଟ ମିଟିଙ୍ଗ କଥା କହି ମମିତାଙ୍କୁ ସ୍କୁଲକୁ ଡକାଇଥିଲେ ଗୋବିନ୍ଦ । ଯେତେବେଳେ ମମିତା ସେଠାରେ ପହଞ୍ଚିଥିଲେ, ତାଙ୍କୁ ନିଜ ମାରୁତି ୱାଗନର ଗାଡିରେ ଭାବନୀପାଟଣା ନେଇ ଯାଇଥିଲେ । ସେଠାରେ ମାର୍କେଟିଂ କରିଥିଲେ । ସ୍ୟାଣ୍ଡାଲ ସହ କିଛି ଖାଦ୍ୟ ସାମଗ୍ରୀ କିଣିଥିଲେ । ସେଠାରୁ ପୁଣି ଫେରିଥିଲେ । ଫେରିବା ବାଟରେ ଗାଡି ଭିତରେ ଫୋନରେ କିଛି ତଥ୍ୟ ଓ ଫଟୋକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଆଗରେ ବସିଥିଲା ଡ୍ରାଇଭର । ପଛରେ ବସିଥିଲେ ଗୋବିନ୍ଦ ଏବଂ ମମିତା । ବଚସା ବେଳେ ଗୋବିନ୍ଦ ମମିତାଙ୍କ ତଣ୍ଟି ଚିପିଥିଲେ । ଛଟପଟ ହୋଇ ଶେଷରେ ପ୍ରାଣ ହରାଇଥିଲେ ମମିତା ।

ଏତିକିରେ ଶେଷ ହୋଇନଥିଲା ଘଟଣା । ସେଠାରୁ ମମିତାଙ୍କୁ ନେଇଯାଇଥିଲେ ଗାତ ଖୋଳାଯାଇଥିବା ପଡିଆକୁ ସେଠାରେ ଗାତ ଭିତରେ ପ୍ରଥମେ ପ୍ଲାଏ ତା ଉପରେ ମମିତାଙ୍କ ମୃତଦେହ ଆଉ ତା ପରେ ଟାୟାର ରଖି ପୋଡିଦେଇଥିଲେ । ମୃତଦେହର ଚିହ୍ନବର୍ଣ୍ଣ ନରଖିବାକୁ ବ୍ୟବହାର କରିଥିଲେ ପ୍ରଚୂର ଲୁଣ । ଏପରି ନାଟକୀୟ ଢଙ୍ଗରେ ମମିତାଙ୍କୁ ଅତି ଦୟନୀୟ ଭାବେ ହତ୍ୟା କରିଥିଲେ ଗୋବିନ୍ଦ ।

ଜେରା ସମୟରେ ପୋଲିସ ଆଗରେ ଏପରି ସତ ବଖାଣିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । ଗତ ୮ ତାରିଖରେ ଏକ ମାରୁତି ୱାଗନର କାର ଭିତରେ ଘଟିଛି ଏଭଳି ଘଟଣା ଘଟିବା ସମୟରେ ଜୀବନ ବଞ୍ଚାଇବକୁ ଛଟପଟ ହୋଇଥିଲେ ମମିତା । ଏହି ସଂଘର୍ଷ ଭିତରେ କାରର ପଛ ସିଟ ମଧ୍ୟ ଚିରିଯାଇଥିଲା । ଶେଷରେ ଛଟପଟ ହୋଇ ଜୀବନ ହାରିଥିଲେ ମମିତା । ଏହା ପୂର୍ବରୁ ମମିତାଙ୍କୁ ମାରିବାକୁ ପୁରା ପ୍ଲାନ ହୋଇଥିଲା । ୭ ତାରିଖ ରାତିରେ ଗୋବିନ୍ଦଙ୍କ କହିବା ମୁତାବକ ନିର୍ମାଣାଧିନ ଷ୍ଟାଡିୟମ ଭିତରେ ଜେସିବି ଲଗାଇ ଗାତ ଖୋଳାଇଥିଲେ ଗୋବିନ୍ଦ, ଆଉ ପ୍ଲାନକୁ ସଫଳ କରିବା ପରେ ୯ ତାରିଖରେ ଗାତକୁ ପୋତିବା ପାଇଁ ମଧ୍ୟ କହିଥିଲେ, ଯାହା ଜେସିବି ଡ୍ରାଇଭର କହିଥିବା ସୂଚନା ରହିଛି । ତେବେ ଏହି ଘଟଣାରେ କେବଳ ଗୋବିନ୍ଦ ନୁହେଁ ଏହି ଷଡଯନ୍ତ୍ରକୁ ସଫଳ କରିବାକୁ ଗୋବିନ୍ଦ ସହ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । କେବଳ ସେତିକି ନୁହେଁ । ମମିତାକୁ ହତ୍ୟା କରିବା ପରେ ଫୋନରେ କିଛି ମନ୍ତ୍ରୀଙ୍କ ସହ ଏନେଇ କଥା ହୋଇଥିଲେ ଗୋବିନ୍ଦ । ଏଥିରେ ସେ ମମିତାକୁ ହତ୍ୟା କରିଦେଇଥିବା କଥା ମଧ୍ୟ କହିଥିବା କଲ ରେକର୍ଡ ଡିଟେଲରୁ ଜଣାପଡିଛି । ଏପରିକିି ଏହି ଘଟଣାରେ ଯେଉଁ ମନ୍ତ୍ରୀଙ୍କ କଥା କୁହାଯାଉଛି ସେମାନେ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନା କଥା ବିରୋଧୀ ଦଳ ଅଭିଯୋଗ ଆଣି ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।