ଏପଟେ ସମୁଦ୍ର, ସେପଟେ ଚିଲିକା, ମଝାମଝିରେ ଝାଉଁବଣ… ଶୂନଶାନ ଇଲାକା, ଚାରିଆଡେ ଖାଁ ଖାଁ । ପୁରାତନ ଘରର ରହସ୍ୟ କଣ ?

1,089

କନକ ବ୍ୟୁରୋ: ଚିଲିକା ମଝିରେ ଝାଉଁବଣ । ଝାଉଁବଣ ଭିତରେ ରହସ୍ୟମୟ ଗୁମ୍ଫା । ଏପଟେ ସମୁଦ୍ର, ସେପଟେ ଚିଲିକା ଆଉ ମଝାମଝିରେ ମାଟିରେ ଅଧାପୋତି ରହିଛି ରହସ୍ୟଭରା ପୁରାତନ ଘର । ଘର ଉପରେ ଗଛ ମାଡି ଯାଇଛି, ଗଛ ତଳେ ଶିଉଳିଲଗା ଘର ଗୁମ୍ଫା ପରି ଗମ୍ଭୀର ଦିଶୁଛି… ଶୂନଶାନ ଇଲାକା, ଚାରିଆଡେ ଖାଁ ଖାଁ ଆଉ ଘର ଭିତରକୁ ଗଲେ କିଟମିଟ ଅନ୍ଧାର । ସ୍ପଷ୍ଟ ଦିବାଲୋକରେ ବି ଘର ଭିତରେ ଭୟଙ୍କର ଲାଗୁଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ତିତିପ ପଞ୍ଚାୟତରେ ଥିବା ଏ ପୁରୁଣା ଘରେ କଣ ରହିଛି ରହସ୍ୟ ଖୋଜିବାକୁ ବାହାରିଥିଲା କନକ ନ୍ୟୁଜ ।

ପୁରୁଣା ଘରର ରହସ୍ୟ କଣ ? କିଏ କରିଥିଲା ଏହି କୋଠା? ଘର ପଛର ଇତିହାସ କଣ? ଝାଉଁବଣ ଭିତରେ ଥିବା ପରିତ୍ୟକ୍ତ ଘରର ସନ୍ଧାନ କଲା ବେଳେ ତାଭିତରେ ୫ ବଖରା ଘର ଥିବା ଜଣାପଡିଛି । କେଉଁଟା ପ୍ରବେଶ, କେଉଁଟା ପ୍ରସ୍ଥାନ ଦ୍ୱାରା ଜଣା ନଥିବା ବେଳେ ଇଟା ସିମେଣ୍ଟର ଏ ଘର ଭାଙ୍ଗିଯାଇଛି । ଘରର କାନ୍ଥ ନଷ୍ଟ ହୋଇଯାଇଛି । କୁହାଯାଉଛି ଇଂରେଜ ଶାସନ ସମୟରେ ସେମାନେ ଏଠାରେ ଗୋଳାବାରୁଦ କିମ୍ବା ଲୁଟ ସାମଗ୍ରୀ ଲୁଚାଇବାକୁ ବ୍ୟବହାର କରୁଥାଇ ପାରନ୍ତି । ପୁଣି କେହି କେହି କୁହନ୍ତି ପ୍ରଭୁ ଶ୍ରୀରାମ ଯେତେବେଳେ ବନବାସ ଯାଉଥିଲେ ସେ ଏଠାରେ ରହିଥିଲେ । ତେବେ କାହା କଥାକୁ ବିଶ୍ୱାସ କରାଯିବ । ପୌରାଣିକ ନା ଐତିହାସିକ । ରହସ୍ୟମୟ ଘରର ଇତିହାସ ଜାଣିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଗବେଷକ ମାନେ କୁହନ୍ତି ରାଜା ମହାରାଜଙ୍କ ଡାକ ସେବା ପାଇଁ ଆସୁଥିବା ଲୋକେ ଏଠାରେ ରାତି ଯାପନ କରନ୍ତି । ତେବେ ଚିକିଲା ଝାଉଁ ଜଙ୍ଗଲରେ ଥିବା ଏହି ୫ ବଖରାର ରହସ୍ୟ ଓ ଇତିହାସ ଉନ୍ମୋଚନ କରି ଯଦି ଜୁିଲ୍ଲା ପ୍ରଶାସନ କିମ୍ବା ସରକାର ଏହାକୁ ବିକଶିତ କରନ୍ତେ ତେବେ ଆଗାମୀ ଦିନରେ ଏହା ଏକ ପର୍ଯ୍ୟଟନସ୍ଥଳୀ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକ ଆଶା ବାନ୍ଧିଛନ୍ତି ।