କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା ଘଟଣାରେ ସଫେଇ ରହିଛି ଜଗତସିଂପୁର ଜିଲ୍ଲା ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତେଲେଙ୍ଗାନାରୁ ଫେରିଥିବା ଦମ୍ପତିଙ୍କୁ ଭୁବନେଶ୍ୱରରୁ ଜଗତସିଂହପୁର ଅଣାଯାଇଥିଲା । ପରେ ଏସ୍ବିଏମ୍ କଲେଜରେ ହୋଇଥିବା ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା । ଉଭୟଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । ଦମ୍ପତିଙ୍କ କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା ।

Advertisment

ତେବେ ଅଚାନକ୍ ହୃତଘାତ କାରଣରୁ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ପରେ ମୃତବ୍ୟକ୍ତିଙ୍କ ପତ୍ନୀ ହାତକୁ କାଟି ଦେବା ସହ ବ୍ଲେଡ୍ ଏବଂ ଛୁଂଚି ସାହାର୍ଯ୍ୟରେ ନର୍ସମାନଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ପ୍ରଶାସନ କହିଛି । ଆଉ ପରେ ମହିଳା ଜଣକ ବେକରେ କପଡ଼ା ଦେଇ ଆତ୍ମହତ୍ୟା କରିଥିଲା । ଉଭୟଙ୍କ କରୋନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲେ ସୁଦ୍ଧା ମୃତକଙ୍କ ସମ୍ପର୍କୀମାନେ ଅନ୍ତିମ ସଂସ୍କାର ପାଇଁ ରାଜି ହୋଇନଥିଲେ । ଫଳରେ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ଆଇସିଏମ୍ଆର ଗାଇଡ୍ଲାଇନ୍ ଭିତରେ ଅନ୍ତିମ ସଂସ୍କାର କରାଯାଇଥିଲା ବୋଲି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂପୁର ଜିଲ୍ଲା ପ୍ରଶାସନର ଲମ୍ବା ଚୌଡ଼ା ସ୍ପଷ୍ଟିକରଣ ଭିତରେ ଯେଉଁ କେତୋଟି ପ୍ରଶ୍ନ ଆସୁଛି ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ନର୍ସଙ୍କୁ ମହିଳା ଜଣକ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏଭଳି ମାନସିକ ସ୍ଥିତିରେ ଥିବା ଜଣେ ମହିଳାଙ୍କୁ ହସ୍ପିଟାଲ କର୍ମଚାରୀ ଏକୁଟିଆ ଛାଡିଲେ କେମିତି? ଯଦି ମହିଳା ଜଣକ ହାତ କାଟି ଦେଇଥିଲେ । ଏହା ପରେ ବି ହସ୍ପିଟାଲ କର୍ମଚାରୀ କେମିତି ଜାଣି ପାରିଲେ ନାହିଁ ମହିଳା ଜଣକ କିଛି ବି କରିପାରନ୍ତି? ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଭଳି ପୂର୍ବରୁ ଆଭାସ ଦେଇସାରିଥିବା ସତ୍ୱେ କେମିତି ମହିଳାଙ୍କୁ ଏକୁଡ଼ିଆ ଛାଡି ହସ୍ପିଟାଲ କର୍ମଚାରୀ ଯାଇପାରିଲେ? ଉଭୟଙ୍କର କରୋନା ପରୀକ୍ଷା କରାଯାଇଥିଲା କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିବା ପରେ ସ୍ୱାମୀ-ସ୍ତ୍ରୀଙ୍କୁ ଅବଗତ କରାଯାଇଥିଲା କି ନାହିଁ? ଜଗତସିହପୁର ଜିଲ୍ଲା ପ୍ରଶାସନର ସଫେଇ ଭିତରେ ଏଭଳି ଅନେକ ପ୍ରଶ୍ନ ଆସୁଛି, ଯାହା ସ୍ପଷ୍ଟ ହେବା ଦରକାର ବୋଲି ଦାବି ହେଉଛି ।