ଟିକାର ଦୁଇଟି ଡୋଜ୍ ନେବା ପରେ ବି କାହିଁକି ହେଉଛି ସଂକ୍ରମଣ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପରିବେଶରେ ସଂକ୍ରମଣ ଥିବାରୁ ହେଉଛି ସଂକ୍ରମଣ, ହେଲେ ଟିକା ନେବା ପରେ କମୁଛି ସିଭିୟରିଟି

4,717

କନକ ବ୍ୟୁରୋ: ଦୁଇ ଡୋଜ୍ ଟିକା ପରେ କାହିଁକି ହେଉଛି ସଂକ୍ରମଣ ଓ କାହିଁକି ହେଉଛି ମୃତ୍ୟୁ । ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । କିଛି ଦିନ ମଧ୍ୟରେ ରାଜ୍ୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ବିଜୟ ସାହୁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ଏମାନେ ଦୁଇ ଡୋଜ୍ ଟିକା ନେଇଥିବା ବେଳେ ସଂକ୍ରମିତ ହେଲେ ଏବଂ ଗୁରୁତର ହୋଇ ପ୍ରାଣ ହରାଇଛନ୍ତି । ପ୍ରଶ୍ନ ଉଠୁଛି, ଯେ ଟିକା ନେବା ପରେ କାହିଁକି ଆବଶ୍ୟକ ପରିମାଣର ଆଂଟିବଡି ସୃଷ୍ଟି ହୋଇପାରିଲା ନାହିଁ । ନା’ ଶରୀରରେ ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ଠାରୁ ଶକ୍ତିଶାଳୀ ହୋଇଗଲା କରୋନା ଭୂତାଣୁ । ଏ ନେଇ ସଠିକ୍ ଉତର ଏପର୍ଯ୍ୟନ୍ତ କାହା ପାଖରେ ନାହିଁ । କାରଣ ଖୋଜିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ସରକାରଙ୍କ ଗଠିତ ବୈଷୟିକ କମିଟି ।

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଆଦର୍ଶ ସ୍କୁଲ ଅଧ୍ୟକ୍ଷ ବିଜୟ ସାହୁ, ଆଉ ଏବେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ରାଜ୍ୟର ଏହି ତିିନି ପ୍ରମୁଖ ବ୍ୟକ୍ତି ବିଶେଷ ନିକଟରେ ପ୍ରାଣ ହରାଇଛନ୍ତି । ସବୁଠୁ ବଡ଼ କଥା ହେଉଛି, ଏହି ତିନି ଜଣ ଦୁଇଟି କରୋନା ଟିକା ନେଇଥିଲେ । ଏହା ସତ୍ୱେ କରୋନାରେ ସଂକ୍ରମିତ ହୋଇ ଜୀବନ ହରାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, ଦୁଇଟି ଟିକା ନେବା ପରେ କାହିଁକି ସଂକ୍ରମଣ ଏତେ ଗୁରୁତର ହେଲା? କାହିଁକି ଶରୀରରେ ଆବଶ୍ୟକ ଆଂଟିବଡି ସୃଷ୍ଟି ହୋଇପାରିଲା ନାହିଁ?

ଡବଲ ଡୋଜ୍ ଟିକା ନେବା ପରେ କରୋନା ସଂକ୍ରମଣ କାହିଁକି ହେଉଛି, ଏ ନେଇ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ବୈଷୟିକ କମିଟି ଗଠନ କରିଛନ୍ତି ସରକାର । ବିଶେଷ କରି ୪ଟି ପ୍ରଶ୍ନ ଉପରେ ଉତର ଖୋଜିବା ଆରମ୍ଭ ହୋଇଛି । ଏଗୁଡିକ ହେଲା –

ଦୁଇଟି ଟିକା ପରେ ସଂକ୍ରମଣ
ରାଜ୍ୟରେ କେତେ ଲୋକଙ୍କୁ ଦୁଇ ଡୋଜ୍ ଟିକା ନେବା ପରେ ସଂକ୍ରମଣ ହୋଇଛି?
ଦୁଇ ଡୋଜ୍ ଟିକା ନେବାର କେତେ ଦିନ ପରେ ସେମାନେ ସଂକ୍ରମିତ ହୋଇଛନ୍ତି?
ଯଦି ସଂକ୍ରମଣ ହୋଇଛି, ତାହା କେତେ ଗୁରୁତର ହୋଇଛି?
ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କର ଅନ୍ୟ କିଛି ରୋଗ ଥିଲା, ନା’ ଏହା ସଂପୂର୍ଣ୍ଣ କରୋନା ମୃତ୍ୟୁ?

ବିଶେଷଜ୍ଞଙ୍କ କହିବା କଥା ଟିକା ୭୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହୁଛି । ଦୁଇ ଡୋଜ୍ ଟିକା ନେବା ପରେ କିଛି ଲୋକ ସଂକ୍ରମିତ ହେବେ, ହେଲେ ସିଭିୟରିଟି କମ ରହିବ । ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଯେତିକି ଆଂଟିବଡି ସୃଷ୍ଟି ହେବା କଥା, ହେଉନାହିଁ । ସେପଟେ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ଆମେରିକାରେ ଟିକା ନେଇଥିବା ୭ କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୭ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।

ସମସ୍ତ ବରିଷ୍ଠ ଡାକ୍ତର ଏବଂ ଭୂତାଣୁ ବିଶେଷଜ୍ଞ ଗୋଟିଏ କଥାରେ ଏକମତ, ଦୁଇ ଡୋଜ୍ ଟିକା ନେବା ପରେ ବି କୋଭିଡ୍ ଗାଇଡଲାଇନ୍କୁ କଡ଼ାକଡ଼ି ପାଳନ କରିବା । ଠିକ୍ ଭାବେ ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ।