କାହାକୁ କହୁଥିଲା ଚାନ୍ଦିପୁର ଯିବି, କାହାକୁ କହୁଥିଲା ବିବାହ କରିବି । ଏମିତି ଫଶାଉଥିଲା ରହସ୍ୟମୟୀ ଯୁବତୀ  । 

235

କନକ ବ୍ୟୁରୋ : ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ୭ ଦିନିଆ ରିମାଣ୍ଡ ଶେଷ ହେବା ପରେ ୫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଏହାସହ ଆବଶ୍ୟକ ପଡିଲେ ପୁଣି ସେମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ ରିମାଣ୍ଡରେ ପଚରାଉଚରା ସମୟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଯୁବତୀ ଜଣକ ସୋସିଆଲ ମିଡ଼ିଆରେ ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ବିଭିନ୍ନ ନାଁରେ ପ୍ରାୟ ୭ଟି ଆକାଉଣ୍ଟ ଖୋଲି ଅଭିଯୁକ୍ତଙ୍କ ସହ କଥା ହେଉଥିଲେ । ସମସ୍ତ ଆକାଉଣ୍ଟରେ ଭିନ୍ନ ଫଟୋ ଓ ପରିଚୟ ଦେଇଥିଲେ ଯୁବତୀ । ଯାହାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଅଭିଯୁକ୍ତଙ୍କ ସହ ଭିଡ଼ିଓରେ କଥା ହେଉଥିଲେ ଯୁବତୀ । ଦୁଇ ଜଣଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ଜଣଙ୍କୁ ଚାନ୍ଦିପୁର ସ୍ଥିତ ଘରକୁ ଆସିବାକୁ କହିଥିଲେ । ଏହାବାଦ୍ ୟୁକେ ନମ୍ବର  ଓ ମହିଳାଙ୍କର ପ୍ରକୃତ ପରିଚୟ କଣ ଏବଂ ସେ କେଉଁଠି ଅବସ୍ଥାନ କରୁଛନ୍ତି ତାହାର ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ସେହିଭଳି ଦୁବାଇରୁ ଯେଉଁ ଆକାଉଣ୍ଟରୁ ଟଙ୍କା ଆସିଥିଲା ତାହାର ତଦନ୍ତ ଚାଲିଥିବା ବେଳେ କେଉଁ ମାଧ୍ୟମରୁ ଟଙ୍କା ଆସିଛି ତାହାର ଖୋଳତାଡ କ୍ରାଇମବ୍ରାଞ୍ଚ କରୁଥିବା କହିଛନ୍ତି ସଞ୍ଜୀବ ।

ଅନ୍ୟପଟେ ରହସ୍ୟମୟୀ ଯୁବତୀଙ୍କୁ କ୍ଷେପଣାସ୍ତ୍ର ସମ୍ପର୍କୀୟ ଅନେକ କିଛି ସୂଚନା ଦିଆଯାଇଥିବା ଜଣାପଡିଛି । ଚାନ୍ଦିପୁର ଆଇଟିଆର ନିର୍ଦ୍ଦେଶକଙ୍କ ଗାଡି ଡ୍ରାଇଭର ସଚିନ୍ ଛେଟା ଏହି ସୂଚନା ଦେଇଛି ବୋଲି ସନ୍ଦେହ କରାଯାଉଛି । ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ବେଳେ ଏପରି କିଛି ସୂଚନା ପାଇଛି କ୍ରାଇମବ୍ରାଂଚ । ଡ୍ରାଇଭର ସଚିନ ଆଇଟିଆର ନିର୍ଦ୍ଦେଶକଙ୍କୁ ନେବା ଆଣିବା କରୁଥିଲା । ତେଣୁ ନିର୍ଦ୍ଦେଶକ ଫୋନରେ କଥା ହେବା ବେଳେ କିମ୍ବା କାହା ସହିତ ଆଲୋଚନା କରିବା ବେଳର ତଥ୍ୟ ସଚିନ ଦେଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ସଚିନ ତିନି ଯୁବତୀଙ୍କ ସହ ସଂପର୍କରେ ଥିବା ମଧ୍ୟ ସୂଚନା ରହିଛି ।

ପୂର୍ବରୁ ଅନ୍ୟ ଅଭିଯୁକ୍ତ ହନିଟ୍ରାପରେ ଫସିଥିଲେ ବୋଲି ସୂଚନା ରହିଛି । ସଚିନ କ୍ଷେପଣାସ୍ତ୍ର ସଂପର୍କରେ ସୂଚନା ଦେବା ବେଳେ ଟଙ୍କା କାରବାର କରିଥିବା ସନ୍ଦେହ କରାଯାଉଛି । ତେଣୁ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମିଳିବା ପରେ କ୍ରାଇମବ୍ରାଞ୍ଚ ପୁଣିଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିପାରେ । ୫ ଅଭିଯୁକ୍ତଙ୍କ ୭ ଦିନିଆ ରିମାଣ୍ଡ ଅବଧି ଗତକାଲି ଶେଷ ହୋଇଯାଇଛି । ରିମାଣ୍ଡ ସମୟ ଶେଷ ପରେ କ୍ରାଇମବ୍ରାଞ୍ଚ ବାଲେଶ୍ୱର କୋର୍ଟରେ ଏମାନଙ୍କୁ ହାଜର କରାଇଥିଲା । ଏହାପରେ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଳକୁ ପଠାଇ ଦିଆଯାଇଛି । ପ୍ରାଥମିକ ତଦନ୍ତରୁ ଜଣେ ଅଭିଯୁକ୍ତଙ୍କ ଆକାଉଣ୍ଟରେ ଅଳ୍ପ ଟଙ୍କା କାରବାର ହେବା ଓ ସେ ଯୁବତୀଙ୍କ ସହ ଚାଟ ବେଳେ କ୍ଷେପଣାସ୍ତ୍ର ସମ୍ପର୍କିତ ତଥ୍ୟ ଦେଇଥିବା କଥା ସାମ୍ନାକୁ ଆସିଥିଲା । ତେବେ ତଦନ୍ତ ଜାରି ରହିଛି ଓ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ନିଆଯାଇପାରେ ବୋଲି କ୍ରାଇମବ୍ରାଂଚ ଅଧିକାରୀ ସୂଚନା ଦେଇଛନ୍ତି  ।