ଶୈବପୀଠ ବେଦବ୍ୟାସ ଧାମ । ଶଙ୍ଖ, ସରସ୍ୱତୀ ଓ କୋଇଲି ନଦୀର ସଙ୍ଗମ ସ୍ଥଳୀ, ଯେଉଁଠି ମହର୍ଷି କୃଷ୍ଣ ଦ୍ୱିପାୟନ ମହାଭାରତର ରଚନା କରିଥିବା କୁହାଯାଉଛି ।

ବ୍ରାହ୍ମଣୀ ନଦୀର ଉତ୍ପତ୍ତି ମଧ୍ୟ ଏହିଠାରୁ ଆରମ୍ଭ ହୋଇ ଧାମରା (ବଙ୍ଗପୋସାଗର) ରେ ଯାଇ ମିଶିଛି। ଯେଉଁଥିପାଇଁ ପବିତ୍ର ସଙ୍ଗମ ସ୍ଥଳ ଭାବେ ପରିଚିତି ଲାଭ କରିବା ସହ ଏହି ଶୈବପୀଠ ର ଯଥେଷ୍ଟ ଖ୍ୟାତି ରହିଛି ।

267

କନକ ବ୍ୟୁରୋ: ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ହେଉଛି ପବିତ୍ର ବେଦବ୍ୟାସ ପୀଠ। ଶଙ୍ଖ, ସରସ୍ୱତୀ ଓ କୋଇଲି ନଦୀର ସଙ୍ଗମ ସ୍ଥଳୀରେ ଏହା ଅବସ୍ଥିତ । ରାଉରକେଲା ଉପକଣ୍ଠରେ ଥିବା ଏହି ପ୍ରସିଦ୍ଧ ଶୈବପୀଠର ଅନେକ ପୌରାଣିକ କିମ୍ବଦନ୍ତୀ ରହିଛି । ଏହାର ପୃଷ୍ଠଭୂମି ମଧ୍ୟ ସର୍ଵଜନ ସ୍ୱୀକୃତ। ମହର୍ଷି କୃଷ୍ଣ ଦ୍ୱିପାୟନ (ବ୍ୟାସଦେବ) ଏଠାରେ ଥିବା ଗୁମ୍ଫାରେ ଅବସ୍ଥାନ କରି ମହାଭାରତ ରଚନା କରିଥିବା କୁହାଯାଏ । ବ୍ରାହ୍ମଣୀ ନଦୀର ଉତ୍ପତ୍ତି ମଧ୍ୟ ଏହିଠାରୁ ଆରମ୍ଭ ହୋଇ ଧାମରା (ବଙ୍ଗପୋସାଗର) ରେ ଯାଇ ମିଶିଛି। ଯେଉଁଥିପାଇଁ ପବିତ୍ର ସଙ୍ଗମ ସ୍ଥଳ ଭାବେ ପରିଚିତି ଲାଭ କରିବା ସହ ଏହି ଶୈବପୀଠ ର ଯଥେଷ୍ଟ ଖ୍ୟାତି ରହିଛି । ସ୍ୱଭାବକବି ଗଙ୍ଗାଧର ମେହେର ଏଠାକୁ ଆସି ନିଜର ଅନୁଭୂତି ତାଙ୍କ କାବ୍ୟ ସଂକଳନ ‘ବେଦବ୍ୟାସ’ ମାଧ୍ୟମରେ ଏହି ପବିତ୍ର ଧାମର ମହିମା ଓ ପ୍ରାକୃତିକ ପରିବେଶ ବାଖ୍ୟା କରିଥିବା ପ୍ରମାଣିକ ତଥ୍ୟ ରହିଛି ।

ଐତିହାସିକଙ୍କ ମତରେ ୧୮୯୧ ମସିହାରେ ଯେତେବେଳେ ବେଙ୍ଗଲ ରୁ ନାଗପୁର ରେଳପଥ (ବିଏନଆର୍) ସଂଯୋଗୀକରଣ ହେଲା ସେତେବେଳରୁ ହିଁ ଏଠାରେ ତତ୍କାଳୀନ ନାଗରା ଜମିଦାର ବାଲୁଙ୍କି ସିଂହ ମହାପାତ୍ର (ସିଂହଦେଓ) ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ସେବେଠାରୁ ଏହା ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ଭାବେ ପ୍ରସିଦ୍ଧି ଲାଭ କରିଛି ।ଶିବରାତ୍ରୀ ପାଳନ ଅବସରରେ ପବିତ୍ର ଜାଗର ମେଳା ହେଉ କି’ ଶ୍ରାବଣ ମାସର ଜଳାଭିଷେକ ପର୍ବ ହେଉ ପବିତ୍ର ବେଦବ୍ୟାସ ଧାମ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ହୋଇଥାଏ ।

କେବଳ ସେତିକି ନୁହେଁ, ଏହା ତ୍ରିବେଣୀ ସଙ୍ଗମ ହୋଇଥିବାରୁ ଲୋକେ ଶ୍ରାଦ୍ଧ, ପିଣ୍ଡଦାନ ଓ ଅସ୍ଥି ବିସର୍ଜନ ପାଇଁ ମଧ୍ୟ ଦୂରଦୂରାନ୍ତରୁ ଆସିଥାନ୍ତି । କୁହାଯାଏ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କଲେ ଆତ୍ମାକୁ ମୋକ୍ଷ ମିଳିଥାଏ । ସେହିଭଳି ପବିତ୍ର ବେଦବ୍ୟାସ ଘାଟ ଶଙ୍ଖ, କୋଇଲି ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳୀରେ ଥିବାରୁ ପୁଣ୍ୟାତ୍ମା ଅର୍ଜନ ପାଇଁ ଏଠାରେ ପରଲୋକଗତ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।