ପ୍ରତ୍ୟେକ୍ଷ ଠାକୁରାଣୀ ବାଲୁଗାଁର ମା’ ତାରିଣୀ…ଘଞ୍ଚଜଙ୍ଗଲ ଭିତରେ ରହିଛି ଏହି ଅଲୌକିକ ଶକ୍ତି ପୀଠ…ବିଶ୍ୱାସ ରହିଛି ମା’ଙ୍କ ମସ୍ତକରୁ ଆଜ୍ଞାମାଳ ଖସିଲେ ନିମିଷକ ମଧ୍ୟରେ ଦୂର ହୋଇଯାଏ ଭକ୍ତର ସବୁ ଦୁଃଖ

1,407

କନକ ବ୍ୟୁରୋ: ମାଆ ତାରିଣୀଙ୍କ ମସ୍ତକରୁ ଆଜ୍ଞାମାଳ ଖସିଲେ ଦର୍ଶନ କରୁଥିବା ସମସ୍ତ ଉକ୍ତଙ୍କର ମନବାଂଛା ପୂରଣ ହେବା ସହ ସବୁ ଦୁଃଖ ଯନ୍ତ୍ରଣା ନିମିଷକ ମଧ୍ୟରେ ଦୂର ହୋଇଯାଏ ବୋଲି ଯୁକ୍ତି ବାଢିଛନ୍ତି ମାଆଙ୍କ ଆଶିଷ ଲାଭ କରିଥିବା ଭକ୍ତ ।

ବାଲୁଗାଁ ବାଇପାସ୍ ରାସ୍ତାଠାରୁ ପ୍ରାୟ ୨୦ କିଲୋମିଟର ଦୂର ନୀଳାଦ୍ରିପ୍ରସାଦର ଘଂଚଜଙ୍ଗଲ ଭିତରେ ରହିଛି ମାଆ ତାରିଣୀଙ୍କ ଏହି ଅଲୌକିକ ପୀଠ । କେଉଁ ଆବାହନ କାଳରୁ ଏଠାରେ ମାଆ ତାରିଣୀଙ୍କ ପୀଠ ଗଢି ଉଠିଥିବା ବେଳେ ଲୋକମତରେ ଏହା ୫ ବର୍ଷ ପୂର୍ବେ ଆର୍ବିଭାବ ହୋଇଥିବା ସ୍ଥାନୀୟ ଆଦିବାସୀଙ୍କ ଦାବି ରହିଛି । ତେବେ ପୂର୍ବରୁ ଏହି ଜଙ୍ଗଲ ମଧ୍ୟରେ ଥିବା ଜାନି ସଂପ୍ରଦାୟର ଲୋକମାନେ ହିଁ ମାଆଙ୍କ ପୂଜାଚର୍ଚ୍ଚା କରୁଥିଲେ । ଇତିହାସ କହେ ସେ ସମୟରେ ମଣୀନାଗ ପୀଠରେ ବଳି ପକାଇବା ନିମନ୍ତେ କିଛି ଲୋକ ଜଙ୍ଗଲରେ ରହୁଥିବା ନିରୀହ ଆଦିବାସୀମାନଙ୍କୁ ଜୋରଜବରଦସ୍ତ ଉଠାଇନେଇ ଯାଉଥିଲେ । ଦିନେ ଏମାନଙ୍କ ହାବୁଡରେ ପଡିଯାଇଥିଲେ ମାଆଙ୍କର ମୁଖ୍ୟ ପୂଜକ । ଆଉ ସେମାନେ ତାଙ୍କୁ ଯେତେବେଳେ ବଳି ଦେବାକୁ ନେବାକୁ ଚାହିଁଥିଲେ ସେତେବେଳେ ସେ ମାଆଙ୍କ ପୂଜା ସାରି ଯିବାକୁ ଅନୁରୋଧ କରିଥିଲେ । ଯେଉଁଥିରେ ସେମାନେ ରାଜି ହୋଇ ପୂଜକଙ୍କୁ ଛାଡିଦେଇଥିିଲେ ।

 

ଏହାପରେ ପୂଜକ ଜଣକ ପୂଜାର୍ଚ୍ଚନା ସାରି ମାଆଙ୍କୁ କାନ୍ଦି କାନ୍ଦି ଜଣାଇଥିଲେ କି, ମାଆ ଆଜି ତୋର ଶେଷ ପୂଜା, କାଲିଠାରୁ ତୁ ଅପୂଜା ରହିଯିବୁ । ତେବେ ପୂଜକ ମୁହଁରୁ ଏଭଳି କଥା ଶୁଣି ମାଆ ବ୍ୟତିବ୍ରସ୍ତ ହୋଇପଡିଥିଲେ ଆଉ ବଳି ଦେବାକୁ ଆସିଥିବା ବ୍ୟକ୍ତିମାନଙ୍କୁ କରିଦେଇଥିଲେ ପଥର । ସକାଳ ହେବା ପରେ ପୂଜକ ଜଣକ ଏସଂପର୍କରେ ଗାଁଲୋକଙ୍କୁ ଜଣାଇଥିବା ପରେ ଗାଁଲୋକେ ଘଟଣା ସ୍ଥଳରେ ପହଂଚି ମାଆଙ୍କୁ ଆରାଧନା କରିଥିଲେ ଏବଂ ପରେ ସେମାନେ ଅଭିଶାପରୁ ମୁକ୍ତ ହୋଇଥିଲେ ।

ସେହିଭଳି ମାଆଙ୍କର ଆଉ ଏକ ଅଲୌକିକ ଘଟଣା ହେଉଛି, ଏଠାକୁ ଆସୁଥିବା ମାନସିକଧାରୀଙ୍କର ମନୋସ୍କାମନା ତୁରନ୍ତ ପୂରଣ ହେବା ସହ ମାଆଙ୍କଠାରେ ଲାଗି ହୋଇଥିବା ପ୍ରସାଦକୁ ଯେତେ ଭକ୍ତ ଖାଇଲେ ବି ତାହା କେବେ ନିଅଂଟ ପଡିନଥାଏ ବୋଲି ମାଆଙ୍କୁ ପୂଜା କରୁଥିବା ପୂଜକ କହିଛନ୍ତି । ତେବେ ମାଆଙ୍କ ମହିମା ଚାରିଆଡେ ପ୍ରଘଟ ହେବା ପରେ ଏବେ ଏହି ପୀଠରେ ପ୍ରତିଦିନ ଦେଖିବାକୁ ମିଳୁଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ।