ପାକିସ୍ତାନ ଯୁବତୀ ଦେଇଥିଲା ବିବାହ ଅଫର ! ଓଡ଼ିଶାରୁ ଗୁପ୍ତଚର ଦେଇଥିଲେ ସବୁ ଗୁପ୍ତ ଖବର । 

353

କନକ ବ୍ୟୁରୋ : ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କୁ ଜେରାର ଚତୁର୍ଥ ଦିନରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଯୁବତୀ ଜଣକ ଅଭିଯୁକ୍ତଙ୍କୁ ବିବାହ ଅଫର ଦେଇଥିବା ସୂଚନା ମିଳିଛି । ୨୦୨୦ରେ ପ୍ରଥମେ ଯୁବତୀ ଜଣକ ଅଭିଯୁକ୍ତଙ୍କ ସମ୍ପର୍କରେ ଆସିଥିଲେ । ଏବଂ ସମସ୍ତ ଅଭିଯୁକ୍ତଙ୍କ ସହ ଭିନ୍ନ ଭିନ୍ନ ପରିଚୟରେ କଥା ହେଉଥିବା ସୂଚନା ମିଳିଛି । ଇଂଲଣ୍ଡରେ କାମ କରୁଥିବା ବେଳେ ମିଜାଇଲରେ ଆଗ୍ରହୀ ଥିବା କହିଥିଲେ ତ ପୁଣି କେତେବେଳେ ରାଜସ୍ଥାନରେ ରହି ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଥିଲେ ଯୁବତୀ ।

ଆଇପି ଆଡ୍ରେସ କେଉ ଁଜାଗାର ସେ ନେଇ ଅଧିକ ଖୋଳତାଡ ଚାଲିଛି । ନିୟମିତ ଭାବରେ ଯୁବତୀ ଜଣକ ହ୍ୱାଟ୍ସଆପ ଓ ଫେସବୁକ ମାଧ୍ୟମରେ ଭିଡିଓ କଲରେ କଥା ହେଉଥିଲେ । ଯୁବତୀ ଜଣକ ୟୁକେ ନମ୍ବର ବ୍ୟବହାର କରୁଥିବା ବେଳେ ୟୁକେ ସରକାରଙ୍କୁ ନମ୍ବର ସମ୍ପର୍କରେ ଅଧିକ ତଥ୍ୟ ମଗାଯିବ । ଯୁବତୀ ଜଣକ ଇଂରାଜୀ ଓ ହିନ୍ଦୀ ଭାଷାରେ ଦେଢ ବର୍ଷ ହେଲା ନିୟମିତ ଭାବେ କଥା ହେଉଥିଲେ । ଏପରିକି ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ ବାବଦରେ ଜାଣିବା ପାଇଁ ସେ ବହୁତ ଇଚ୍ଛୁକ ବୋଲି କହି ଆସୁଥିଲେ ବୋଲି  ସୂଚନା ମିଳିଛି । ତେବେ ମାତ୍ର ୩୮ ହଜାର ଟଙ୍କାରେ ଡିଆରଡିଓର ଗୁପ୍ତ ସୂଚନା ମହିଳାଙ୍କ ହାତକୁ ଟେକିଦେବାକୁ ସହଜରେ ଗ୍ରହଣ କରିପାରୁନି କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତଙ୍କୁ ଅନ୍ୟ କେଉଁ ସୂତ୍ରରୁ ଟଙ୍କା ଆସୁଥିଲା କି ନାହିଁ ସେ ବାବଦରେ ଟିକିନିକି ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ଏହାଛଡା ରହସ୍ୟମୟୀ ଯୁବତୀଙ୍କ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଫେସବୁକ ଓ ହ୍ୱାଟ୍ସଅପ କର୍ତୃପକ୍ଷଙ୍କ ସହ ଯୋଗଯୋଗ କରୁଛି କ୍ରାଇମବ୍ରାଞ୍ଚ । ଯୁବତୀଙ୍କ କଲ ରେକର୍ଡ ମିଳିବା ପରେ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ । ଆଇଟି ବିଶେଷଜ୍ଞଙ୍କ ତଥ୍ୟ ଲୋଡିବ ତଦନ୍ତକାରୀ ସଂସ୍ଥା । ଚାନ୍ଦିପୁର ଘାଟିର ଆଉ କିଛି ବ୍ୟକ୍ତି ସ୍କାନରରେ ରହିଥିବା ଜଣାପଡିଛି ।