ଯାଜପୁରରେ ବିଜେ ମା’ବିରଜା…ମା’ଙ୍କ ପୀଠରେ ରହିଛି ଗୁପ୍ତ ଗଙ୍ଗା…ଯାହାକି କେବେ ହୋଇନଥାଏ ପୂର୍ଣ୍ଣ

978

କନକ ବ୍ୟୁରୋ: ମା’ ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ଯାଜପୁରର ପରିଚୟ । ମା’ଙ୍କ ମହିମା କାହିଁ କେତେ ପୁରୁଣା । ପୁରାଣ ଠାରୁ ଆରମ୍ଭ କରି କିମ୍ବଦନ୍ତି ଯାଏଁ ସବୁଠି ରହିଛି ମା’ଙ୍କ ବର୍ଣ୍ଣନା । ଶକ୍ତିପୀଠର ଶାକ୍ତ ଦେବୀ ଭାବେ ମା’ ବିରଜା ସମଗ୍ର ବିଶ୍ୱରେ ପରିଚିତ । ମା’ଙ୍କ ସ୍ୱତନ୍ତ୍ର ବେଶ ଭୁଷା ଓ ପୂଜା ସମଗ୍ର ବିଶ୍ୱରେ ବିରଳ । ଯେଉଁଥିପାଇଁ ମା’ଙ୍କ ଦର୍ଶନ ପାଇଁ ସାତ ଦରିଆ ପାରି ହୋଇ ଛୁଟି ଆସନ୍ତି ଶ୍ରଦ୍ଧାଳୁ ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ୱତନ୍ତ୍ରତା ସମଗ୍ର ବିଶ୍ୱରେ ପରିଚିତ । ମା’ଙ୍କ ଆର୍ବିଭାବଠାରୁ ଆରମ୍ଭ କରି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପରମ୍ପରା ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳେନା । ପୁରାଣ ଅନୁଯାୟୀ ବ୍ରହ୍ମା ଯେତେବେଳେ ପାପରୁ ମୁକ୍ତି ହେବା ପାଇଁ ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ ଯଜ୍ଞ କରୁଥିଲେ ସେତେବେଳେ ମା’ ସେହି ଯଜ୍ଞ କୁଣ୍ଡରୁ ଆର୍ବିଭୃତ ହୋଇ ନିଜକୁ ମ’ା ବିରଜା ବୋଲି ପରିଚୟ ଦେଇଥିଲେ । ମା’ ବିରଜା ଦ୍ୱିଭୁୁଜା ଭାବେ ପୂଜା ପାଇଥାନ୍ତି ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ଅନ୍ୟ ଦେବାଦେବୀଙ୍କର ସଂପୁର୍ଣ୍ଣ ଶରୀରକୁ ଭକ୍ତ ବା ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି କିନ୍ତୁ ଏଠି କେବଳ ମା’ଙ୍କ ମୁଖକୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ । ମା’ ଷୋଡଶ ଦିବସୀୟ ପୂଜାରେ କେବଳ ଗାୟତ୍ରୀ ମନ୍ତ୍ରରେ ପୂଜା ପାଇବା ଭଳି ଅନେକ ସ୍ୱତନ୍ତ୍ରତା ରହିଛି ।

 

ମା’ଙ୍କ ରହିଛି ରଥଯାତ୍ରା ଭଳି ବିରଳ ପରମ୍ପରା । ମା’ ପ୍ରତିବର୍ଷ ପ୍ରତିପଦଠାରୁ ୯ ଦିନ ବ୍ୟାପି ସିଂହଧ୍ୱଜ ରଥରେ ନିଜ ବେଢ଼ାକୁ ପରିକ୍ରମା କରିଥାନ୍ତି । ଯାହାକି ଅନ୍ୟ କୌଣସି ଶକ୍ତିପୀଠରେ ଦେଖିବାକୁ ମିଳିନଥାଏ । ସମାଜରୁ ପାପ ହରଣ କରିବା ଲକ୍ଷ୍ୟରେ ମା’ଙ୍କର ଏହି ରଥଯାତ୍ରା ଅନୁଷ୍ଠିତ ହେବାର ବିରଳ ପରମ୍ପରା ରହିଛି । ସେହିପରି ମା’ଙ୍କ ପୀଠରେ ନାଭିଗୟା । ଯେଉଁଠି ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଏ । ବିଶ୍ୱାସ ରହିଛି ଏଠାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ମୋକ୍ଷପ୍ରାପ୍ତି ହୋଇଥାଏ । ଗୟାଶୁରଙ୍କ ନାଭି ଏଠାରେ ପଡିଥିବାରୁ ଏହାର ନାଁ ନାଭିଗୟା ବୋଲି ବିଶ୍ୱାସ ରହିଛି । ଏହି ନାଭିଗୟା ତଳେ ରହିଛି ଗୁପ୍ତ ଗଂଗା । ଯାହାକି କେବେ ପୂର୍ଣ୍ଣ ହୋଇନଥାଏ ।

ମା’ଙ୍କ ରୀତିନୀତି

ମା’ଙ୍କର ଭୋର ୪ଟାରେ ମହାସ୍ନାନ ଅନୁଷ୍ଠିତ ହୋଇଥାଏ । ମା’ଙ୍କୁ ବାସନା ତେଲ,ହଳଦୀ,ଗନ୍ଧଗୋଳା,ଚୁଆ,ବନରନ୍ଧା,ଚନ୍ଦନ ଆଦି ଲଗାଇ ମା’ଙ୍କୁ ସ୍ନାନ କରାଯାଇଥାଏ । ମା’ଙ୍କ ସ୍ନାନ ସରିବା ପରେ ମା’ଙ୍କୁ ବେଶ କରାଯାଇଥାଏ । ମା’ଙ୍କର ସିଂହଦ୍ୱାର ସକାଳ ୫.୩୦ ମିନିଟରେ ଖୋଲାଯାଇଥାଏ । ଦିନ ୧୨ଟାରେ ମା’ଙ୍କର ବଡ ସିଂହାର ବେଶ କରାଯିବା ସହିତ ନିତିଭୋଗ କରାଯାଇଥାଏ । ଏହି ଭୋଗରେ ଖେଚୁଡି,ଡାଲି,ତରକାରି,ଖଟ୍ଟା,ଖିରି,ମିଠା ପଂଳ ଆଦି ଲାଗିଥାଏ । ଅପରାହ୍ନ ୧ଟାରେ ମା’ଙ୍କ ପହଡ ହୋଇଥାଏ । ଅହରାହ୍ନ ୩ଟାରେ ପହଡ ଖୋଲାଯାଇଥାଏ । ସଂଧ୍ୟା ସମୟରେ ମା’ଙ୍କର ସଂଧ୍ୟା ଆଳତୀ ହୋଇଥାଏ । ଏହି ସମୟରେ ବାଲ୍ୟଭୋଗ ଓ ମିଷ୍ଠାନ୍ନ ଭୋଗ ଲାଗିଥାଏ । ରାତ୍ରି ୮ଟା ବେଳେ ମା’ଙ୍କର ବଡ ସିଂହାର ବେଶ ହୋଇଥାଏ । ଏହାପରେ ଅନ୍ନଭୋଗ ଲାଗି କରାଯାଏ । ଅନ୍ନ,ଡାଲମା,ଆଳୁ ଚକଟା,ଖିରି,ମିଷ୍ଠାନ୍ନ ଭୋଗ ଲାଗିଥାଏ । ରାତ୍ର ୧୦ଟା ସମୟରେ ମା’ଙ୍କ ପହଡ ପଡିଥାଏ ।