ରାଜଧାନୀରେ ରହସ୍ୟମୟ ହତ୍ୟାକାଣ୍ଡ! ଘରେ ଏକାକୀ ଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

205

କନକ ବ୍ୟୁରୋ: ଭୁନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ଅନନ୍ତ ନାରାୟଣ ନାଥ ଓ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର । ଘରେ ଏକାକୀଥିବା ଶୁଭଶ୍ରୀ ମହାପାତ୍ରଙ୍କୁ କେହି ତଣ୍ଟି ଚିପି ହତ୍ୟା କରିଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଘରେ କେହିନଥିଲେ, ପୁଅ ଟ୍ୟୁସନରୁ ଫେରି ମାଆଙ୍କୁ ଅଚେତ ଅବସ୍ଥାରେ ଦେଖି କିଛି ବୁଝିପାରିନଥିଲା । ଏହାପରେ ବାପା ଅନନ୍ତ ନାଥଙ୍କୁ ଭିଡିଓ କଲ କରି ଦେଖାଇଥିଲା ପୁଅ । ନାରାୟଣ ଘରକୁ ଆସି ଶୁଭଶ୍ରୀଙ୍କୁ ହସ୍ପିଟାଲକୁ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଅନନ୍ତ ନାରାୟଣଙ୍କ ଅଭିଯୋଗ ପରେ ପୁଲିସ ସାଇଂଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ମୋବାଇଲକୁ ଫୋନକୁ ମଧ୍ୟ ଜବତ କରିଛି ପୁଲିସ । ଏଥିସହ ସାହି ପଡିଶାଙ୍କୁ ମଧ୍ୟ ପଚରା ଉଚରା କରୁଛି । ମହିଳାଙ୍କ ବେକରେ ଦାଗ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ ବୋଲି କମିସନରେଟ ପୁଲିସ କହୁଛି । ଅନ୍ୟପଟେ ଶୁଭଶ୍ରୀଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଘରେ ଏକାକୀ ଥିବା ବେଳେ ଶୁଭଶ୍ରୀଙ୍କୁ ଅଚେତ ଅବସ୍ଥାରେ ପୁଅ ଦେଖିବା, ଏହାପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ଘଟଣା, ରହସ୍ୟମୟ ହୋଇପଡିଛି । ପ୍ରଶ୍ନ ଉଠୁଛି ଶୁଭଶ୍ରୀଙ୍କୁ କିଏ ହତ୍ୟା କଲା, କାହିଁକି ହତ୍ୟା କଲା? ଯଦି ଏହା ହତ୍ୟାକାଣ୍ଡ, ତେବେ ହତ୍ୟାକାରୀ ମୃତ ମହିଳାଙ୍କ ପୂର୍ବ ପରିଚିତ କି? ଏସବୁ ଖିଅକୁ ଧରି କମିସନରେଟ ପୁଲିସ ଶୁଭଶ୍ରୀଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ତଦନ୍ତ ଚଲାଇଛି ।