କଟକର ସୁନା ଋଣ ସଂସ୍ଥାରେ ରହସ୍ୟମୟ ଲୁଟ । ବନ୍ଧୁକ ଦେଖାଇ ୧୦ ମିନିଟରେ ଲୁଟିନେଲେ ୧୦ କୋଟିରୁ ଅଧିକ ଟଙ୍କା, ୨୦ ମିନିଟ ପୂର୍ବରୁ ଖୋଲିଥିଲା ଶାଖା

392

କନକ ବ୍ୟୁରୋ : କଟକ ନୟାସଡ଼କ ସ୍ଥିତ ଆଇଆଇଏଫଏଲ ସୁନା ଋଣ ଫାଇନାନ୍ସ କଂପାନୀରେ ଏପରି ଲୁଟ ହୋଇଛି, ଯାହା ବଲଉଡ୍ର ଏକ ରୋମାକାର କାହାଣୀ ଭଳି । ସଂସ୍ଥାର ମ୍ୟାନେଜର ଲୁଟର ଯେଉଁ ଥିଓରୀ ଦେଇଛନ୍ତି, ତାହା ହିନ୍ଦୀ ଫିଲ୍ମର ସ୍କ୍ରିନ୍ ପ୍ଲେ ସହ ଯେତିକି ମେଳ ଖାଉଛି, ସେତିକି ରହସ୍ୟମୟ ମନେ ହେଉଛି ।

ପ୍ରତିଦିନ ସକାଳେ ୧୦ ଟାରେ ଆଇଆଇଏଫଏଲ ଖୋଲୁଥିବା ବେଳେ ୨୦ ମିନିଟ ପୂର୍ବରୁ ଖୋଲି ଯାଇଥିଲା ସୁନା ଋଣ ସଂସ୍ଥାର ଗେଟ୍ । ସହଳ ଖୋଲିଥିଲା ଅଫିସ, ଆଉ ଅଫିସ ଖୋଲୁ ଖୋଲୁ ପହଁଚି ଯାଇଥିଲେ ୪ ଜଣ ମୁଖା ପିନ୍ଧା ଡକାୟତ । ହାତରେ ବନ୍ଧୁକ ଥିଲା, କଥା ହେଉଥିଲେ ହିନ୍ଦୀ ଭାଷାରେ । ମ୍ୟାନେଜରଙ୍କ କହିବା ଅନୁସାରେ ସେତେବେଳେ ଜଣେ ହେଲେ ଗ୍ରାହକ ଆସିନଥିଲେ, କେବଳ ୪-୫ ଜଣ କର୍ମଚାରୀ ଅଫିସରେ ପହଁଚିଥିଲେ, ଆଉ କିଛି ବୁଝିବା ପୂର୍ବରୁ କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଷ୍ଟ୍ରଙ୍ଗ ରୁମରୁ କେଜି କେଜି ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଡକାୟତ । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ବୋଲି କୁହାଯାଉଛି ।

ସବୁଠୁ ବଡ଼ ରହସ୍ୟ ହେଉଛି, କଡ଼ା ପହରା ଭିତରେ ରହୁଥିବା ସୁନା ବନ୍ଧକ ନେଇ ଋଣ ଦେଉଥିବା ସଂସ୍ଥାରେ କାମ କରୁନଥିଲା ସିସିଟିଭି, ନିରାପତା ପାଇଁ ରହିଥିବା ସାଇରନ୍ ମଧ୍ୟ ଡାକୟତି ବେଳେ ବାଜି ନଥିଲା । କଟକର ଜନଗହଳିପୂର୍ଣ୍ଣ ଏହି ଅଂଚଳରେ ହୋଇଥିବା ଲୁଟ, ସାରା ସହରରେ ଚାଂଚଲ୍ୟ ଖେଳାଇ ଦେଇଛି । ଘଟଣାସ୍ଥଳରେ ପୋଲିସ କମିସନର ଓ କଟକ ଡିସିପି ପହଁଚି ଘଟଣାର ଯାଂଚ ଆରମ୍ଭ କରିଛନ୍ତି ।

ସଂସ୍ଥାର କର୍ମଚାରୀ ଓ ଆଖପାଖରେ ଥିବା ଦୋକାନର କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ନିକଟରେ ଥିବା ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ କରୁଛି । ଏପଟେ କଟକ-ପାରାଦୀପ ରାସ୍ତାରେ ବ୍ୟାପକ ଖାନତଲାସୀ କରୁଛି ପୋଲିସ । ଏହି ରହସ୍ୟମୟ ଲୁଟକୁ ନେଇ ସଂଦେହ ବଢ଼ୁଥିବା ବେଳେ କିପରି ବନ୍ଧକ ରଖିଥିବା ସୁନା ଫେରିପାରିବେ, ଏ ନେଇ ଗ୍ରାହକମାନଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି ।