ୟୁପି ପରେ ହରିୟାଣା: ରହସ୍ୟମୟୀ ଜ୍ୱରରେ ଯାଉଛି ଶିଶୁଙ୍କ ଜୀବନ, ଇନ୍ଦୋର ଡେଙ୍ଗୁର ହଟସ୍ପଟ୍

139

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଓ ବିହାର ପରେ ଏବେ ହରିୟାଣାରେ ରହସ୍ୟମୟୀ ଜ୍ୱର ଆତଙ୍କ । ହରିୟାଣାର ହଥିନ ବିଧାନସଭା ନିର୍ବାଚନ ମଣ୍ଡଳିର ଚିଲ୍ଲୀ ଗାଁରେ ଏବେ ଏହି ଜ୍ୱର ପ୍ରଭାବ ବିସ୍ତାର କରିଚାଲିଥିବାବେଳେ ୧୦ଦିନରେ ୮ ଶିଶୁଙ୍କ ଜୀବନ ଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଅନ୍ୟପଟେ ମଧ୍ୟପ୍ରଦେଶର ଇନ୍ଦୋର ଏବେ ଡେଙ୍ଗୁର ହଟସ୍ପଟ୍ ପାଲଟିଛି । ଉତ୍ତରପ୍ରଦେଶ, ବିହାର, ଗୁଜୁରାଟରେ ରହସ୍ୟମୟୀ ଜ୍ୱର ସାଙ୍ଗକୁ ଡେଙ୍ଗୁ ଓ ମ୍ୟାଲେରିଆ ଲୋକଙ୍କୁ ଡରାଉଛି । ସବୁ ହସ୍ପିଟାଲରେ ନାହିଁନଥିବା ଭିଡ ପରଲକ୍ଷିତ ହେଉଛି । ବିଶେଷ କରି ୟୁପିରେ ସ୍ଥିତି ବିଗିଡିବାରେ ଲାଗିଛି ।ସୂଚନା ମୁତାବକ, ସ୍ୱାସ୍ଥ୍ର୍ୟକର୍ମୀ ଗାଁ ଗାଁ ବୁଲି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମ୍ୟାଲେରିଆ ଓ ଡେଙ୍ଗୁ ପରୀକ୍ଷା କରୁଛନ୍ତି । ପିଲାମାନଙ୍କୁ ଜ୍ୱର ହେବା ପରେ ରକ୍ତରେ ପ୍ଲେଟଲେଟ୍ କମୁଥିବାରୁ ମୃତ୍ୟୁ ହେଉଥିବା କୁହାଯାଉଛି । ଡେଙ୍ଗୁରେ ସାଧାରଣତଃ ପ୍ଲେଟଲେଟ୍ ହ୍ରାସ ପାଉଥିବାବେଳେ ଚିଲ୍ଲୀ ଗାଁରେ ହୋଇଥିବା ଶିଶୁଙ୍କ ରକ୍ତ ନମୂନା ପରୀକ୍ଷାରେ ଡେଙ୍ଗୁ ଜ୍ୱର ନେଇ ରିପୋର୍ଟ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗକୁ ଦୋଷ ଦେଇଛନ୍ତି ସ୍ଥାନୀୟ ଲୋକେ । ୪ ହଜାର ଲୋକସଂଖ୍ୟା ଥିବା ଏହି ଗାଁରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ । ଅନ୍ୟ ଗାଁରେ ଯେଉଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସେଠାକୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ନିୟମିତ ଆସୁନାହାଁନ୍ତି । ଏହାସହ ଏଠାରେ ପାଣି ଯୋଗାଣରେ ଅବ୍ୟବସ୍ଥା ଥିବାରୁ ଦୂଷିତ ପାଣି ଯୋଗୁଁ ମଧ୍ୟ ଲୋକେ ଅଜଣା ଜ୍ୱରରେ ପଡୁଥିବା ଲୋକେ ଅଭିଯୋଗ କରିଛନ୍ତି ।