ଆତଙ୍କ ରଚୁଛି ଅଜଣା ରୋଗ ! ନେଲାଣି ୧୦୦ରୁ ଅଧିକ ଜୀବନ

192

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଅଜଣା ଜ୍ୱର ଏବେ ୧୦୦ ରୁ ଅଧିକ ଜୀବନ ନେଇସାରିଲାଣି । ୟୁପିର ଅନେକ ଜିଲ୍ଲାରେ ଏହି ରହସ୍ୟମୟ ଜ୍ୱରର ପ୍ରକୋପ ବଢିବାରେ ଲାଗିଛି । ଗଣମାଧ୍ୟମର ରିପୋର୍ଟ ମୁତାବକ ଏବେ ୟୁପିର ରାଜଧାନୀ ଲକ୍ଷ୍ନୌ, ଆଗରା, ମଥୁରା, ମୈନପୁରୀ, ଏଟା, କାସଗଞ୍ଜ ଫିରୋଜାବାଦ ଜିଲ୍ଲାରେ ସବୁଠାରୁ ଅଧିକ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି । ଏହି ଜ୍ୱର ବିଶେଷ ଭାବେ ଛୋଟ ପିଲାମାନଙ୍କୁ ହେଉଥିବା ଦେଖିବାକୁ ମିଳିଛି । ଏଭଳି ସୂଚନା ପାଇବା ପରେ ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁଦାମାନଗର ଅଞ୍ଚଳ ପରିଦର୍ଶନ କରି ସ୍ୱାସ୍ଥ୍ୟ ବିଭାଗକୁ ସଫା ସୂତରା ଓ ରୋଗୀମାନଙ୍କୁ ସଠିକ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନା ଥାଉକି କରୋନା ମହାମାରୀ ଚାଲିଥିବା ଭିତରେ ୟୁପିର ଏକ ରହସ୍ୟମୟ ଜ୍ୱର କାୟା ବିସ୍ତାର କରିବାରେ ଲାଗିଛି । ଏହି ଜ୍ୱରରେ ବିଶେଷ ଭାବେ ଛୋଟ ପିଲାମାନେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ଜ୍ୱରର କାରଣ ଓ ଏହା ପଛରେ ଥିବା ଭୂତାଣୁ ସଂପର୍କରେ ୟୁପି ସ୍ୱାସ୍ଥ୍ୟ ବିଭାଗ କିଛି ସ୍ପଷ୍ଟ କରିନଥିବା ବେଳେ ଜ୍ୱରରେ ୧୦୦ ରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ବିଶେଷ ଭାବେ ଲକ୍ଷ୍ନୌରେ ଦୈନିକ ଏହି ଜ୍ୱରରେ ଆକ୍ରାନ୍ତ ହୋଇ ୧୦୦ ରୁ ଅଧିକ ଲୋକ ବିଭିନ୍ନ ମେଡିକାଲରେ ଭର୍ତ୍ତି ହେଉଛନ୍ତି ।

ଫିରୋଜାବାଦ ଓ ମଥୁରାରେ ଏହି ଜ୍ୱରରେ ସଂକ୍ରମିତ ହୋଇ ଶିଶୁମାନଙ୍କର ମୃତ୍ୟୁ ହେଉଥିବା ବେଳେ ଏହାର ଯାଂଚ ପାଇଁ କେନ୍ଦ୍ର ସରକାରଙ୍କର ଏକ ଟିମ୍ ଫିରୋଜାବାଦରେ ପହଂଚିଛନ୍ତି । ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଓ ରାଷ୍ଟ୍ରୀୟ ଭେକ୍ଟର ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଭିବିସିଡିପି) ର ୫ ଜଣିଆ ଟିମ୍ ଫିରୋଜାବାଦର ବିଭିନ୍ନ ସ୍ଥାନରୁ ଲୋକଙ୍କ ନମୂନା ସଂଗ୍ରହ କରିଛି । ଏହି ନମୂନାର ଯାଂଚ ପରେ ଜଣାପଡି ଯେ ପ୍ରକୃତରେ ଜ୍ୱର ପଛରେ କ’ଣ ରହିଛି କାରଣ ।