ରାତି ଅଧରେ ରୋଗୀଙ୍କ ଦୁର୍ଦ୍ଦଶା । ଜରରେ ପଡିଥିବା ସ୍ୱାମୀଙ୍କୁ ଧରି ସ୍ତ୍ରୀ ବୁଲିଲେ ହସ୍ପିଟାଲରୁ ହସ୍ପିଟାଲ । କୋଭିଡ କେୟାର କେନ୍ଦ୍ରକୁ ପଠାଇଲା ସିଟି ହସ୍ପିଟାଲ, ସେଠାରେ ବି ମିଳିଲାନି ଚିକିତ୍ସା ।  

845

କନକ ବ୍ୟୁରୋ : ଓଡ଼ିଶା ପାଇଁ ଏବେ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି, ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମଣ । ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା, ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଦୋହଲାଇ ଦେଇଛି । ଆଉ ଏଭଳି ସ୍ଥିତିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସୁଛି କରୋନାର କରୁଣ କାହାଣୀ । କେଉଁଠି ରୋଗୀ ଚିକିତ୍ସା ପାଇଁ ସଂଘର୍ଷ କରୁଛି, ତ ଆଉ କେଉଁଠି ରୋଗ କେମିତି ହେଲା ଜଣାପଡୁନି ।

ସମୟ ରାତି: ପ୍ରାୟ ଗୋଟିଏ । ସ୍ଥାନ: ଗୋଳନ୍ଥରା, ଗଂଜାମ । ଚାରିଆଡେ ଘନ ଅନ୍ଧକାର, କାହାର କେଉଁଠି ଦେଖାନାହିଁ । ଜଣେ ଏକୁଟିଆ ମହିଳା, ରୋଗଗ୍ରସ୍ତ ସ୍ୱାମୀଙ୍କୁ ଧରି ଅଟକି ରହିଛନ୍ତି । ମହିଳା ଜଣକଙ୍କ ସୂଚନା ଅନୁସାରେ, ତାଙ୍କ ସ୍ୱାମୀ ଏବଂ ସେ ଜ୍ୱରରେ ପୀଡ଼ିତ ଅଛନ୍ତି । ଆଉ ଡାକ୍ତରଙ୍କ ପରାମର୍ଶ ପାଇଁ ସେମାନେ ପ୍ରଥମେ ସିଟି ହସ୍ପିଟାଲ ଯାଇଥିଲେ, ପରେ ତାଙ୍କୁ କୋଭିଡ୍ କେୟାର କେନ୍ଦ୍ରକୁ ପଡ଼ାଇ ଦିଆଗଲା । ସରକାରୀ ସହାୟତା ନମ୍ବର ସହ ଯୋଗାଯୋଗ ପରିବା ପରେ ବି ତାଙ୍କୁ କୋଭିଡ୍ କେୟାର କେନ୍ଦ୍ରରେ ସ୍ଥାନ ମିଳିଲା ନାହିଁ । ଶିତଳାପଲ୍ଲୀରୁ ଗୋଳନ୍ଥରା ଏମିତି ରାତି ଅଧର ଘରି ବୁଲିଲେ ଏହି ମହିଳା ଜଣକ ।

ସେହିପରି ବ୍ରହ୍ମପୁରର ଆଉ ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକ । ଅଭିଯୋଗ ଅନୁସାରେ ସଂପୃକ୍ତ ବୃଦ୍ଧଙ୍କ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ନେଇ ଥିଲେ ସମ୍ପର୍କୀୟ । ପରେ କୋଭିଡ ହସ୍ପିଟାଲ, ହୋମିଓ କୋଭିଡରେ ପ୍ରାଥମିକ ଚିକିତ୍ସା ପରେ ଟାଟା କୋଭିଡ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଚାଲିଯାଇଥିଲା । ତେବେ ରୋଗୀଙ୍କ କ’ଣ ହୋଇଥିଲା, ସେତକ ବି ଜାଣିପାରିଲେନି ପରିବାର ଲୋକ । ଅଚାନକ୍ ଜଣାପଡ଼ିଲା ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଛି ।

ଆଉ ଏସବୁ ଭିତରେ ବଡ଼ ଅଭିଯୋଗ ହେଉଛି- ଥଣ୍ଡା-କାଶ, ଜ୍ୱରରେ ଯେଉଁ ଅନେକ ରୋଗୀ ଗୁରୁତର ହୋଇ ମୃତ୍ୟୁବରଣ କରୁଛନ୍ତି । ଆଉ ଲକ୍ଷଣ ଥାଇ ବି ସେମାନଙ୍କର କୋଭିଡ୍ ପରୀକ୍ଷା ହୋଇପାରୁନାହିଁ । ବିନା କୋଭିଡ୍ ଟେଷ୍ଟରେ ରୋଗୀଙ୍କ ମୃତ୍ୟୁ ହେଉଥିବାରୁ କୋଭିଡ୍ ଡେଥ୍ ବୋଲି ପ୍ରଶାସନ ମଧ୍ୟ ଗ୍ରହଣ କରୁନାହିଁ । ବ୍ରହ୍ୱପୁର ବଡ଼ ମେଡ଼ିକାଲର ଆଇସୋଲେସନ୍ ୱାର୍ଡରେ ପ୍ରତିଦିନ ୩ରୁ ୫ ଜଣଙ୍କ ମୃତ୍ୟୁ ହୋଉଥିବା ନେଇ ସୂଚନା ମିଳୁଛି । ହେଲେ ଏ ସମ୍ପର୍କରେ ବଡ଼ ମେଡ଼ିକାଲ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କେହି ବି ମୁହଁଖୋଲୁ ନାହାଁନ୍ତି ।