ମାଟି ଖୋଳୁ ଖୋଳୁ ମିଳିଲା ରହସ୍ୟମୟ ଗୁମ୍ପା । ୧୫ ମିଟର ଲମ୍ବାର ଗୁମ୍ଫା ଭିତରେ ଦେଖାଗଲା ଧଳା ମୁଗୁନି ପଥରାକୃତିର ଶିବଲିଙ୍ଗ । ନାମ ସଂକୀର୍ତ୍ତନରେ ସ୍ଥାନୀୟ ଅଞ୍ଚଳ ପାଲଟିଲା ଶିବମୟ

631

ଆଧ୍ୟାତ୍ମିକତାକୁ ପ୍ରାଧାନ୍ୟ ଦେଉଥିବା ଦେଶ ହେଉଛି ଭାରତ । ଏହି ଦେଶର ପାଦେ ପାଦେ ଦେବାଦେବୀଙ୍କ ପୀଠ । ଭାରତରେ ଅନେକ ରହସ୍ୟମୟ ପୀଠ, ସ୍ତୁପ ଏବଂ ଗୁମ୍ଫାର କିମ୍ବଦନ୍ତୀ ରହିଛି ଯାହାର ସତ୍ୟତାକୁ ଖୋଜିବାକୁ ଗଲେ ଖାଲି ଦ୍ୱନ୍ଦର ଉତ୍ତର ମିଳିବ । ବର୍ତ୍ତମାନ ଏଭଳି ଏକ ରହସ୍ୟମୟୀ ଗୁମ୍ଫା ଲୋକଲୋଚନକୁ ଆସିଛି । ଭାରତର ପ୍ରମୁଖ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ ଉତ୍ତରାଖଣ୍ଡର ଖନପର୍ ଗାଁରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତାକାମ ଚାଲିଥିବା ସମୟରେ ଏକ ରହସ୍ୟମୟ ଗୁମ୍ଫା ସାମ୍ନାକୁ ଆସିଛି । ୧୫ ମିଟର ଲମ୍ବା ଏବଂ ୧୦ ମିଟର ଚଉଡ଼ାର ଏହି ଗୁମ୍ଫାକୁ ଦେଖି ଗ୍ରାମବାସୀ ଆଶ୍ଚଯ୍ୟ ହୋଇଯାଇଛନ୍ତି ।

 

ଗୁମ୍ଫା ଭିତରେ ଶିବଲିଙ୍ଗ ଆକୃତିର ଏକ ଧଳାମୁଗୁନି ପଥର ଥିବାବେଳେ ଉପରୁ ଜଳଧାରା ନିର୍ଗତ ହେଉଛି । ଗୁମ୍ଫା ପାଶ୍ୱର୍ରେ ଅନେକ କଳାକୃତି ମଧ୍ୟ ଦେଖିବାକୁ ମିଳିଛି । ଖବରଟି ପ୍ରଘଟ ହେବା ପରେ ଜଙ୍ଗଲରେ ନିଆଁ ଲାଗିବା ପରି ଏହା ସମ୍ପୁର୍ଣ୍ଣ ଉତ୍ତରାଖଣ୍ଡରେ ବ୍ୟାପିଯାଇଛି । ଗୁମ୍ଫାର ଏହି ରହସ୍ୟକୁ ଦେଖିବା ପାଇଁ ଏଠାରେ ଲୋକଙ୍କ ଗହଳି ଜମିବାରେ ଲାଗିଛି । ଯେ କେହିବି ଏହାକୁ ଦେଖୁଛନ୍ତି ଘଡ଼ିଏ ଚକିତ ହୋଇ ଚାହୁଁଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୁମ୍ଫା ଭିତରେ ଏଭଳି ଆକୃତି କେଉଁଠାରୁ ଆସିଲା ! ଯେଉଁଠି ରାସ୍ତା ମରାମତି କାମ ଚାଲିଥିଲା ସେଠାରେ “ଗୁଫାବାଲୀ ମାତା” ନାମକ ଏକ ପ୍ରସିଦ୍ଧ ମନ୍ଦିର ରହିଛି । ଏଠାରେ ଧର୍ମଶାଳା , ସୌନ୍ଦର୍ଯ୍ୟକରଣ , ମନ୍ଦିର ପ୍ରାଙ୍ଗଣରେ ଅଗଣା ଏବଂ ରାସ୍ତା ମରାମତି କାମ ଚାଲୁଥିଲା ।

୨ ଦିନ ତଳେ ଏଠାର ପୋକଲ୍ୟାଣ୍ଡ ମେସିନରେ ପାହାଡ଼ର ଚଟାଣ କଟା କାମ ଚାଲିଥିଲା ଏବଂ ଏହି ସମୟରେ ଶ୍ରମିକମାନେ ଗୁମ୍ଫାକୁ ଦେଖିଥିଲେ । ଗୁମ୍ଫା ଭିତରକୁ ଯିବା ପରେ ସମସ୍ତେ ହର ହର ମହାଦେବ ବୋଲି ଜପିଥିଲେ ଘଟଣା କ’ଣ ଦେଖିବାକୁ ଅଧିକାରୀ ଭିିତରକୁ ଯିବା ପରେ ସେ ମଧ୍ୟ ଚକିତ ହୋଇଯାଇଥିଲେ । ଗୁମ୍ଫା ଭିତରେ ଶ୍ୱେତବର୍ଣ୍ଣର ଶିବଲିଙ୍ଗ, ଲିଙ୍ଗ ଉପରୁ ଟୋପା ଟୋପା ପଡ଼ୁଥିବା ଜଳଧାରା , ଜଳକୁଣ୍ଡ , ଶଙ୍ଖ ଏବଂ ପ୍ରସ୍ତରରେ ତିଆରି କଳାକୃତି ନଜର ଆସିଥିଲା । ଗୁମ୍ଫାରେ ଭିଡ଼ ବଢୁଥିବା ଦେଖି କାମକୁ ବର୍ତ୍ତମାନ ବନ୍ଦ କରିଦିଆଯାଇଛି । ପ୍ରବେଶଦ୍ୱାର ପାଖରେ ଗୁମ୍ଫାର ଉଚ୍ଚତା ପାଖାପାଖି ୪ ଫୁଟ୍ ଏବଂ ଭିତରେ ୭ ଫୁଟ୍ ରହିଛି । କେହି କେହି ଗୁମ୍ଫାରେ ବିରାଜିତ ଶ୍ୱେତଲିଙ୍ଗଙ୍କୁ ପାତାଳ ଭୁବନେଶ୍ୱର ବୋଲି ନାମିତ କରୁଛନ୍ତି ।