ରହସ୍ୟ ଘେରରେ ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା । ପୋଲିସ କମିଶନର କହିଲେ ମହିଳା ଥାନା ଖୋଜିବ କଙ୍କାଳ କାହାର । 

177

କନକ ବ୍ୟୁରୋ : ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର କାହାଣୀକୁ ନେଇ ଯେତିକି ରହସ୍ୟ ରହିଛି, ତାଠୁ ଅଧିକ ପୁଲିସର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । କାରଣ, ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ କଙ୍କାଳ ରୁପରେ ସାମ୍ନାକୁ ଆସିବ ଏବଂ କଙ୍କାଳ ମିଳିବାର ପ୍ରାୟ ଗୋଟିଏ ମାସ ଯାଏଁ କୌଣସି ଖବର ସାମ୍ନାକୁ ନଆସିଥିବା ବେଳେ ଅଚାନକ୍ ଥାନା ଅଧିକାରୀ ନିଲମ୍ବିତ ହୋଇଯିବେ, ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ।

ଗଞ୍ଜେଇ ଚାଲାଣ ମାମଲାରେ ପୁଲିସ୍ ଜବତ କରିଥିବା ଗାଡ଼ିର ମାଲିକ ବି ଚକମି ପଡ଼ିଥିଲେ, ଯେତେବେଳେ ଗାଡ଼ି ମୁକୁଳାଇବାକୁ ଆସି ନିଜ ଗାଡ଼ି ଭିତରୁ କଙ୍କାଳ ଦେଖିଲେ । ଗାଡ଼ି ମାଲିକଙ୍କ କହିବା କଥା ହେଲା, ଗାଡ଼ିରେ ଥିବା ମୃତଦେହରେ କେବଳ କଙ୍କାଳ ଥିଲା, ଆଉ ଗନ୍ଧ ବି ବାହାରୁଥିଲା । ଯେଉଁ ଗନ୍ଧ, ମାସ ମାସ ଧରି ଯାଆଁଳା ପୁଲିସ୍ର ନାକରେ ନପଡ଼ିବା ସନ୍ଦେହ ସୃଷ୍ଟି କରିଛି ।

ପ୍ରାୟ ଗୋଟିଏ ମାସ ହେଲା ମନ୍ଥର ଗତିରେ ଚାଲିଥିବା ତଦନ୍ତ ଏବେ ଖୀପ୍ର ହୋଇଛି । ମୃତ ମହିଳାଙ୍କ ପରିଚୟ ଖୋଜିବା ପାଇଁ କଙ୍କାଳକୁ ହାଇଦ୍ରାବାଦ ପଠାଯିବା ସହ ଏକ ସ୍କେଚ୍ ପ୍ରସ୍ତୁତ କରିବା ଉପରେ ଜୋର ଦେଇଛି କମିଶନରେଟ୍ ପୁଲିସ୍ । ସେହିପରି କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା? କେଉଁ ପରିସ୍ଥିତିରେ ମହିଳା କିମ୍ବା ମୃତଦେହ ଗାଡ଼ିକୁ ଆସିଲା? ସେ ଦିଗରେ ତଦନ୍ତ ଆଗକୁ ବଢ଼ାଇବା ପାଇଁ ମାମଲାକୁ ମହିଳା ଥାନାକୁ ହସ୍ତାନ୍ତର କରାଯାଇଛି ।

କିନ୍ତୁ ଏହି ସବୁ ଭିତରେ ପୁଲିସ୍ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଏକାଧିକ ପ୍ରଶ୍ନ ସାମ୍ନାକୁ ଆସୁଛି ।

– ପ୍ରାୟ ଗୋଟିଏ ମାସ ପୂର୍ବରୁ କଙ୍କାଳ ମିଳିଥିଲେ ସୁଦ୍ଧା କାହିଁକି ଚୁପ୍ ରହିଥିଲା ପୁଲିସ?

– ଯଦି ଫାଣ୍ଡି ଅଧିକାରୀ କାର୍ଯ୍ୟରେ ଅବହେଳା କରିଥିଲେ, କାର୍ଯ୍ୟାନୁଷ୍ଠାନ ପାଇଁ ମାସେ ଲାଗିଲା କାହିଁକି?

– ପୁଲିସ୍ କ’ଣ ଲୁଚାଇବାକୁ ଚାହୁଁଥିଲା ଏବଂ କେଉଁ କାରଣରୁ ସୁରକ୍ଷା ଦେଇ ଆସୁଥିଲା?

-ଗାଡ଼ି ମାଲିକ କଙ୍କାଳର ଗନ୍ଧ ଜାଣି ପାରିଲେ, ହେଲେ ପୁଲିସ୍ କେମିତି ଜାଣିପାରିଲା ନାହିଁ?

– ପୁରା ଘଟଣା ପଛରେ ରହିଛି କୌଣସି ଅଦୃଶ୍ୟ ଚାପ?

ଉଠୁଥିବା ଏହି ସବୁ ପ୍ରଶ୍ନ ଭିତରେ ଆଶା କରିବା ଯେ, ମହିଳାଙ୍କ ପରିଚୟ ମିଳିବ ଏବଂ କେଉଁ ପରିସ୍ଥିତି ମହିଳାଙ୍କ ମୃତ୍ୟୁ ହେଲା, ତାହା ଉପରେ ପରଦା ଉଠାଇବାରେ ସମର୍ଥ ହେବ କମିଶନରେଟ୍ ପୁଲିସ୍ ।