‘କାଳିଆ’କୁ ବି ହୁଏ ଶୀତ ! ଓଢଣଷଷ୍ଠୀରୁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିହୁଏ ଶୀତବସ୍ତ୍ର…ଖଣ୍ଡୁଆପାଟ, ମଖମଲି ଘୋଡାବସ୍ତ୍ର ଓ ଶିରାବରଣରେ ଆବରଣ ହୁଅନ୍ତି ପ୍ରଭୁ ଶ୍ରୀଜଗନ୍ନାଥ

752

କନକ ବ୍ୟୁରୋ: ଋତୁଚକ୍ର ଅନୁସାରେ ପୌଷ ଓ ମାଘ ମାସ ହେଉଛି ଶୀତଋତୁ । କିନ୍ତୁ ମାର୍ଗଶିର ମାସ ବେଳକୁ ଶୀତ କ୍ରମେ ପଡିଆସିଥାଏ । ହେମନ୍ତରୁ ଶୀତକୁ ଏହି ଋତୁ ପରିବର୍ତ୍ତିନର ସନ୍ଧିକାଳରେ ଆମ ପାଇଁ ଅନେକ ସତର୍କତା ଆବଶ୍ୟକ ହୋଇଥାଏ ।

ତେବେ ଏହି ସମୟରେ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହୁଏ ‘ପ୍ରାବରଣ ଉତ୍ସବ’ । ଏହା ଶ୍ରୀଜଗନ୍ନାଥଙ୍କର ‘ଓଢଣଷଷ୍ଠୀ’ ଭାବରେ ପରିଚିତ । ଏହି ଦିନଠାରୁ ଶ୍ରୀଜଗନ୍ନାଥାଦି ଦେବତା ବିଧିବଦ୍ଧ ଭାବରେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରନ୍ତି । ମାଘ ଶୁକ୍ଳ ପଂଚମୀ ପୂର୍ବଦିନ ଯାଏ ସେମାନେ ଏହି ବେଶ ପିନ୍ଧନ୍ତି । ଏହାକୁ ‘ଘୋଡାଲାଗି’ କୁହାଯାଏ । ନୀଳାଦ୍ରି ମହୋଦୟ ଓ ଯାତ୍ରା ଭାଗବତ ଆଦିରେ ଏସଂପର୍କିତ ବିଧାନର ବର୍ଣ୍ଣନା ଅଛି । କିନ୍ତୁ ସ୍କନ୍ଦପୁରାଣରେ ଏ ସଂପର୍କରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି । ଏହା ଅନୁସାରେ, ମାର୍ଗଶିର ଶୁକ୍ଳ ପଂଚମୀ ରାତିରେ ପ୍ରାବରଣ ବସ୍ତ୍ର ଗୁଡିକର ଅଧିବାସ କରାଯାଏ । ଓଢଣ ଷଷ୍ଠୀ ଦିନ ସେହି ବସ୍ତ୍ରକୁ ଦ୍ୟୁତାନସ୍ତୁ ମନ୍ତ୍ରରେ ସେମାନଙ୍କୁ ପରିଧାନ କରାଯାଏ । ଏଥିରେ ତୁଷ୍ଟ ହୋଇ ଶ୍ରୀଜଗନ୍ନାଥ ଶୀତକୁ ସ୍ୱୀକାର କରନ୍ତି ଏବଂ ଓଢଣଷଷ୍ଠୀଠାରୁ ଗଡା (ସୂତାବସ୍ତ୍ର),ଖଣ୍ଡୁଆ ପାଟ, ମଖମଲି ଘୋଡବସ୍ତ୍ର, ଶିରାବରଣ(ମଫଲର) ଓ ଟୋପର ଆଦି ପିନ୍ଧନ୍ତି । କିନ୍ତୁ ଶୀତ ସହ ଗୋଟିଏ ସର୍ତ୍ତ ରଖନ୍ତି ଯେ ସେ ସଂସାରର ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ ।

ସେହିସବୁ ବସ୍ତ୍ର ତାଙ୍କୁ ପରିଧାନ କରାଯିବା ବେଳେ ଆଚ୍ଛାଦନ ମନ୍ତ୍ରରେ କୁହାଯାଏ-ହେ ବସ୍ତ୍ର ! ଭଗବାନ ବିଷ୍ଣୁ ନିଜର ତେଜ ଦ୍ୱାରା ଅଖିଳ ଜଗତକୁ ଆବରଣ କରି ରଖିଥିଲେ ହେଁ, ତୁମ୍ଭେ ସେହି ଜଗତପତି ଭଗବାନଙ୍କର ଆଚ୍ଛାଦକ ହୁଅ ! ଆର୍ଥାତ୍ ଭଗବାନ ନିଜେ ଶୀତକୁ ସ୍ୱୀକାର କରୁଥିବାରୁ , ଆମେ ମଧ୍ୟ ଶୀତକୁ ସ୍ୱୀକାର କରିବା । ନିଜର ସୁରକ୍ଷା ପାଇଁ ଶୀତବସ୍ତ୍ର ପରିଧାନ କରିବା ।