ଅଣ୍ଟା ସଳଖୁଛି ମୋ ବସ୍‌ : ଜାନୁଆରିରେ ଚାଲିବ ଇଲେକ୍ଟ୍ରିକ୍‌ ବସ୍‌; ଆଜି ପୂରୁଛି ଦୁଇ ବର୍ଷ

Advertisment
ଅଣ୍ଟା ସଳଖୁଛି ମୋ ବସ୍‌ : ଜାନୁଆରିରେ ଚାଲିବ ଇଲେକ୍ଟ୍ରିକ୍‌ ବସ୍‌; ଆଜି ପୂରୁଛି ଦୁଇ ବର୍ଷ

କନକ ବ୍ୟୁରୋ :  ଫନି ପରେ ପରେ କରୋନା । କରୋନାରେ ଅଣ୍ଟା ଭାଙ୍ଗି ପୁଣି ଥରେ ସଳଖ ହୋଇ ଛିଡ଼ା ହେବାକୁ ଚେଷ୍ଟା କରୁଛି ‘ମୋ ବସ୍’ । ମୋ ବସ୍ ସେବାକୁ ଆଜି ଦୁଇ ବର୍ଷ ପୂରୁଥିବା ବେଳେ ଆଗକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି । ଜାନୁଆରି ଶେଷ ସୁଦ୍ଧା ଇଲେକ୍ଟ୍ରିକ୍‌ ବସ୍ ଚଳାଇବାକୁ ଲକ୍ଷ୍ୟ ରଖିଛି କ୍ରୁଟ୍ । ପ୍ରଥମ ପର୍ଯ୍ୟାୟରେ ୨୫ଟି ଇଲେକ୍ଟ୍ରିକ୍‌ ବସ୍‌ ଚାଲିବ । ମାର୍ଚ୍ଚରେ ଆଉ ୨୫ଟି ଇଲେକ୍ଟ୍ରିକ୍‌ ବସ୍ ଚଳାଇବାକୁ ଯୋଜନା ରହିଛି।

ସୂଚନା ଅନୁସାରେ, ଫନି ପରେ ମୋ ବସ୍‌ ସେବା ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଲୋକଙ୍କୁ ସେବା ଯୋଗାଇ ଲୋକପ୍ରିୟତା ହାସଲ କରିଥିଲେ ମୋ ବସ୍ । ଫନି ପରେ ମାତ୍ର ୩୦ ହଜାର ଦୈନିକ ଯାତ୍ରୀ ସଂଖ୍ୟା ହେଉଥିବା ବେଳେ ୨୦୧୯ ଅକ୍ଟୋବର ୧୫ ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷରେ ପହଞ୍ଚିଥିଲା । ଏହା ପରେ ୧ ଲକ୍ଷ ୪୦ ହଜାର ଛୁଇଁଥିଲା । କରୋନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେବା ପୂରା ଠପ୍ ହୋଇଯାଇଥିବା ବେଳେ ଏବେ ଦୈନିକ ଯାତ୍ରୀ ସଂଖ୍ୟା ପ୍ରାୟ ୨୬ ହଜାର ରହିଛି ।

ଚଳିତ ବର୍ଷ ମେ’ ୨୬ରେ ମାତ୍ର ୭ଟି ରୁଟରେ ୪୦ଟି ବସ୍‌ର ସେବା ଆରମ୍ଭ ହୋଇଥିଲା। ଜୁନ୍ ସୁଦ୍ଧା ସେହି ୭ଟି ରୁଟରେ ୬୬ଟି ବସ୍‌ ଚାଲିଥିଲା। ସେପ୍ଟେମ୍ବର ୨୭ରେ ପୁରୀ ଓ କୋଣାର୍କ ଦୁଇଟି ରୁଟ୍‌କୁ ନୂତନ ଭାବେ ବସ୍‌ ସେବା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୧୭ଟି ରୁଟ୍‌ରେ ୧୦୯ଟି ବସ୍ ଚଳାଚଳ କରୁଛି। ପଟିଆ ଓ ପାତ୍ରପଡ଼ାରେ ଦୁଇଟି ଅତ୍ୟାଧୁନିକ ବସ୍ ଡିପୋ କରାଯିବ। ଦୁଇଟି ଡିପୋରେ ପ୍ରାୟ ୧୭କୋଟି ଲେଖାଁଏ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

କରୋନା ସମୟରେ ଯେତେବେଳେ ସାଧାରଣ ପରିବହନ ସେବା ବନ୍ଦ ହୋଇଯାଇଥିଲା, ସେତେବେଳେ ମୋ ବସ୍ ସେବା ଯୋଗାଇ ଦେଇଥିଲା। କରୋନା ଆରମ୍ଭରେ ଓକାକ୍‌ରେ ଖୋଲା ଯାଇଥିବା ଆଉଟ ବାଉଣ୍ଡ କଲ୍ ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମୋ ବସରେ ନେବା ଆଣିବା କରୁଥିଲା ମୋ ବସ୍। ବିମାନବନ୍ଦରରୁ ଯାତ୍ରୀଙ୍କୁ ନେବା ଆଣିବା ବି କରୁଥିଲା। ବସ୍‌ରେ ୩୦ ପ୍ରତିଶତ ମହିଳା କଣ୍ଡକ୍ଟରଙ୍କୁ ନିଯୁକ୍ତି ମିଳିଛି। ଆଗାମୀ ଦିନରେ ଲୋକଙ୍କୁ ଆହୁରି ଅଧିକ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି କ୍ରୁଟର ଜିଏମ୍ ଦୀପ୍ତି ମହାପାତ୍ର। ୩୦ଟି ପୁରୁଣା ବସ୍‌କୁ ମରାମତି କରାଯାଇ କାର୍ଯ୍ୟକ୍ଷମ କରାଯାଇଛି। ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ମୋ ବସ୍‌ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe