ଧୂଳି ଚାଦରରେ ପଡି ରହିଛି ଶହ ଶହ ସାଇକେଲ । ପାଣିରେ ପଡିଲା କରଦାତାଙ୍କ ୫ କୋଟି ଟଙ୍କା । ଦୋଷ ଛଡାଇବାକୁ ସରକାରଙ୍କ ସାଇକ୍ଲୋଥନ୍

164

କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେ ଡାଲ । ଏହି ଉକ୍ତିର ଏକ ସଦ୍ୟତମ ଉଦାହରଣ ହେଉଛି ରାଜ୍ୟ ସରକାରଙ୍କ ମୋ ସାଇକେଲ ଯୋଜନା । ଲୋକେ ସାଇକେଲ ଚଢିବେ ଫଳରେ ପ୍ରଦୁର୍ଷଣ କମିବ । ବାହାରୁ ସ୍ମାର୍ଟ ସିଟିକୁ ଆସୁଥିବା ଲୋକମାନେ ଅଳ୍ପ ଦୂରକୁ ଯାତାୟତ କରିବାକୁ ଆଉ ବସ୍ କିମ୍ବା ଅଟୋକୁ ଅପେକ୍ଷା କରିବେ ନାହିଁ । ପ୍ରତି ମୋ ବସ୍ ଷ୍ଟାଣ୍ଡ ନିକଟରେ ରଖାଯିବ ସାଇକେଲ । ଏମିତ ଅନେକ ସ୍ୱପ୍ନ ଦେଖାଇ ରାଜ୍ୟସରକାର ସ୍ମାର୍ଟ ସିଟି ଭୁବନେଶ୍ୱରରେ ଆରମ୍ଭ କଲେ ‘ମୋ ସାଇକେଲ’ ଯୋଜନା । ଭୂବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ରାଜ୍ୟ ରାଜକୋଷରୁ ୫ କୋଟି ଟଙ୍କା ନେଇ ବିଭିନ୍ନ କମ୍ପାନୀର ସାଇକେଲ କିଣିଲେ । ଏହି ସାଇକେଲକୁ ଭଡାରେ ଲଗାଇବା, ଏହାର ରକ୍ଷଣା ବେକ୍ଷଣ କରିବାକୁ କ୍ରୁଟକୁ ଦାୟିତ୍ୱ ଦିଆଗଲା । ହେଲେ କ୍ରୁଟ ଏହାର ପରିଚାଳନା କରିପାରିଲା ନାହିଁ । ଅନ୍ୟପଟେ ଏହି ସାଇକେଲ ନେବାକୁ ହେଲେ ଏହାର ବୁକିଂ ପ୍ରକ୍ରିୟା ଏତେ ଜଟିଳ ଥିଲା ଯେ ଲୋକମାନେ ପୂର୍ବ ଭଳି ଅଟୋ ଓ ବସ୍ କୁ ଭରଷା କରିଗଲେ। ଏହାକୁ ନଜରରେ ରଖି ବିଏସସିଏଲ କର୍ତ୍ତୃପକ୍ଷ ପୁଣି ସାଇକେଲ ଗୁଡିକୁ ନିଜ ଅଧିନକୁ ଆଣିଲେ । ହେଲେ ସୁଧୁରିଲା ନାହିଁ ପୂର୍ବ ଅବସ୍ଥା ।

ଏବେ ପ୍ରତି ‘ମୋ ବସ୍’ ଷ୍ଟାଣ୍ଡରେ ପଡି ରହିଛି ଶହ ଶହ ସାଇକେଲ । ଏହାସହ କିଛି ସାଇକେଲ ବିଭିନ୍ନ ରାସ୍ତାର କଡରେ ଭଙ୍ଗାରୁଜା ଅବସ୍ଥାରେ ବି ପଡିଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଯେଉଁ ସାଇକେଲ ଗୁଡିକ ଭଲ ଅଛି ତାହା ଉପରେ ଏଭଳି ମୋଟା ସ୍ତରର ଧୂଳିର ଆସ୍ତରଣ ଜମିଛି ଯେ ତାକୁ କେହି ନେଇ ଚଢିବା ଅବସ୍ଥାରେ ତାହା ନଥିବା ଭଳି ମନେ ହେଉଛି । ଅନ୍ୟପଟେ କେହି ରକ୍ଷଣା ବେକ୍ଷଣ ଦାୟିତ୍ୱରେ ନଥିବାରୁ ଏଗୁଡିକ ଏବେ ଷ୍ଟାଣ୍ଟ ନିକଟରେ ଏଭଳି ଅବସ୍ଥାରେ ପଡି ରହିଛି କି କାହାର ସିଟ ନାହିଁ ତ କାହାର ବ୍ରେକ୍ ନାହିଁ । କଳଙ୍କି ଲାଗି ଲକ ଗୁଡିକ ଅନେକ ସାଇକେଲରେ ଅନଲକ୍ ହେଉନାହିଁ ।

ଦେଖିବାକୁ ଗଲେ ଖାଲି ସାଇକେଲ କିଣାରେ ସିନା ୫ କୋଟି ଖର୍ଚ୍ଚ ହୋଇଛି । ହେଲେ ତାହାକୁ ରକ୍ଷଣା ବେକ୍ଷଣ କରିବାକୁ ସରକାରଙ୍କ ପକ୍ଷରୁ ଏକ ସଂସ୍ଥାକୁ ଠିକା ଦିଆଯାଇଛି । ଏହି ସଂସ୍ଥା ପ୍ରତିଟି ସାଇକେଲର ରକ୍ଷଣା ବେକ୍ଷଣ ପାଇଁ ବର୍ଷକୂୁ ୫ ହଜାର ଟଙ୍କା ନେଉଛି । ହେଲେ ମରାମତି ତ ଦୂରର କଥା ସାଇକେଲରେ ଲାଗିଥିବା ଧୂଳି ଟିକେ ଝାଡିବା କେଉଁଠି କେହି ଦେଖିଥିବାର ନଜର ନାହିଁ । ଏହା ସଳ ଫନି ବାତ୍ୟା ବେଳେ ଅନେକ ସାଇକେଲ ଉଡିଯାଇ ବିଭିନ୍ନ ସ୍ଥାନରେ ପଡି ରହିଛି । ତାହାକୁ ବି ରକ୍ଷଣାବେକ୍ଷଣ କରିବାକୁ ଠିକା ନେଇଥିବା ସଂସ୍ଥା ଖୋଜୁ ନାହଁ ।

ଏପରି ସ୍ଥଳେ ବିଏସଏଲ କର୍ତ୍ତୃପକ୍ଷ ଯେଭଳି ଭାବେ ଦମ୍ଭ ଦେଖାଇ ମୋ ସାଇକେଲ ପରିଚାଳନାର ଦାୟିତ୍ୱ ନେଇଥିଲେ ତାହା ଏବେ କେବଳ ସୋ ବାଜିରେ ରହିଯାଇଛି । ଏପଟେ ଏଭଳି ଅପାରଗତାକୁ ଲୁଚାଇବାକୁ ବିଏସସିଏଲ ପ୍ରତି ୨/୩ ସପ୍ତାହରେ ସାଇକେଲଗିରି ବା ସାଇକ୍ଲୋଥନ୍ ନାଁ ରେ ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ୫ କୋଟି ଟଙ୍କାର ସାଇକେଲ କୁଆଡେ ଗଲା ? ଏହାକୁ ଲୋକ ଚଳାଉଛନ୍ତି କି ନାହଁ ? କ’ଣ ପାଇଁ ଯୋଜନା ଫେଲ ମାରିଲା ସେନେଇ କିଛି ପଦକ୍ଷେପ ନିଆଯାଉ ନାହିଁ । ଏପର୍ଯ୍ୟନ୍ତ ମୋଟ ୫ ଟି ସ୍ଲାଇକୋଥନ ଆୟୋଜିତ ହୋଇଥିବା ବେଳେ ଆଜି ପୁଣି ଏକାମ୍ର କ୍ଷେତ୍ରରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ଏହି ସାଇକ୍ଲୋଥନ୍ ର ଆୟୋଜନ କରାଯାଇଛି ।