କନକ ବ୍ୟୁରୋ : ମହାରାଷ୍ଟ୍ରରେ ମହାବିକାଶ ଅଘାଡି ମେଣ୍ଟର ସିଟ୍ ଭାଗବଣ୍ଟା ଶେଷ ହୋଇଛି । ଏହିକ୍ରମରେ ଶିବସେନାର ଉଦ୍ଧବ ଗୋଷ୍ଠୀକୁ ୨୧ଟି ଆସନ, କଂଗ୍ରେସ ୧୭ଟି ଆସନ ଏବଂ ଏନସିପିକୁ ୧୦ଟି ଆସନ ମିଳିଛି । ୩ ଦଳ ପକ୍ଷରୁ ମିଳିତ ଭାବେ ଏନେଇ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ନାନା ପଟୋଲେ କହିଛନ୍ତି, କଂଗ୍ରେସ ଏକ ଜାତୀୟ ଦଳ । ଏହି ମେଣ୍ଟ ପାଇଁ ସୋନିଆ ଗାନ୍ଧୀଙ୍କୁ ଇଡି ଅଫିସରେ ବସାଗଲା । ଏକଛତ୍ରବାଦୀ ଶାସନ ବିରୋଧରେ ଲଢୁଛି କଂଗ୍ରେସ । ଆସନ ଭାଗବଣ୍ଟା ଶେଷ ହୋଇଛି । ବିଜେପିକୁ ହରାଇବାକୁ ଆମ କାର୍ଯ୍ୟକର୍ତ୍ତାଙ୍କୁ ବଡ ହୃଦୟର ସହ ଆଗକୁ ଆସିବାକୁ ହେବ । ଆମ ମେଣ୍ଟକୁ ସେମାନେ ମୁସଲିମ୍ ଲିଗ ସହ ତୁଳନା କରୁଛନ୍ତି । ଆମ ସହ ଅସଲି ଏନସିପି ଓ ଅସଲି ଶିବସେନା ରହିଛି । ସେମାନେ ମେଣ୍ଟକୁ ଏବେ ଭୟ କରୁଛନ୍ତି ।

Advertisment

ସେହିଭଳି ଶିବସେନାର ଉଦ୍ଧବ ଗୋଷ୍ଠୀ ପ୍ରମୁଖ ଉଦ୍ଧବ ଠାକରେ କହିଛନ୍ତି,, ସବୁ ସିଟରେ ଲଢିବାକୁ ସମସ୍ତଙ୍କର ଇଚ୍ଛା ଅଛି । ଏଥିରେ କୌଣସି ଭୁଲ ମଧ୍ୟ ନାହିଁ । କିନ୍ତୁ ବିଜୟ କ୍ଷମତା ଥିବା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ । ଏହି ଲଢେଇ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗତକାଲି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଆସିଥିଲେ । କାଲି ସୂର୍ଯ୍ୟଗ୍ରହଣ ଥିଲା, ଅମାବାସ୍ୟା ଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ସଭା ମଧ୍ୟ ଥିଲା । ଆମେ ପ୍ରଧାନମନ୍ତ୍ରୀ ପଦକୁ ସମାଲୋଚନା କରୁନାହୁଁ ବରଂ ଭ୍ରଷ୍ଟ ଜନତା ପାର୍ଟିର ନେତାଙ୍କୁ ସମାଲୋଚନା କରୁଛୁ । ଭ୍ରଷ୍ଟ ଜନତା ପାର୍ଟି ଏକ ୱାସିଂ ମେସିନ ରଖିଛି ଏବଂ ତାସହ ଦାଗ ଅଚ୍ଛେ ହେଁର ୱାସିଂ ପାଉଡର ମଧ୍ୟ ରଖିଛି । ସବୁ ଦାଗୀ ସେଠାରେ ସଫା ହୋଇଯାଉଛନ୍ତି ।