କନକ ବ୍ୟୁରୋ: ରୋଗୀ ପେଟରୁ ବାହାରିଲା କାଚ ଗ୍ଲାସ୍ । ଅସମ୍ଭବ ଲାଗୁଥିଲେ ବି କଥାଟା ସତ । ଏପରି ଘଟିଛି ବିହାର ମୁଜାଫରପୁର ଜିଲ୍ଲାର ଏକ ହସ୍ପିଟାଲରେ । ଏକ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ୫୫ ବର୍ଷିୟ ରୋଗୀଙ୍କ ପେଟରୁ କାଢିଛନ୍ତି କାଚର ଏକ ଗ୍ଲାସ୍ ।
ହସ୍ପିଟାଲ ପରିଚାଳକଙ୍କ କହିବା ମୁତାବକ, ରୋଗୀ ଜଣଙ୍କର ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ସେଠାରେ ତାଙ୍କର ଏକ୍ସରେ ହୋଇଥିଲା । ଏଥିରେ କିଛି ଜିନିଷ ତାଙ୍କ ଅନ୍ତଃନଳିରେ ଛନ୍ଦି ହୋଇ ରହିଥିବା ଲକ୍ଷ୍ୟ କରାଯାଇଥିଲା । ପରେ ଏହା ଏକ କାଚ ଗ୍ଲାସ ବୋଲି ଜଣାପଡିଥିଲା । ଏହାକୁ ଏଣ୍ଡୋସ୍କୋପି ଦ୍ୱାରା ବାହାର କରିବାକୁ ଚେଷ୍ଟା କରାଯାଇଥିଲେ ବି ସଫଳତା ମିଳିନଥିଲା । ଫଳରେ ଅସ୍ତ୍ରୋପଚାର କରି ଏହାକୁ କାଢିିବାକୁ ପଡିଥିଲା ।
ଏନେଇ ରୋଗୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଚା’ ପିଇବା ସମୟରେ ସେ ଗ୍ଲାସକୁ ଗିଳିଦେଇଥିଲେ । ହେଲେ ଖାଦ୍ୟ ନଳୀ ମଧ୍ୟରେ ଏତେ ବଡ ଜିନିଷ ପ୍ରବେଶ କରି ପେଟକୁ ଯାଇପାରିବ ନାହିଁ ବୋଲି ଡାକ୍ତରମାନେ କହିଥିଲେ । ତେବେ ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ଥିତିରେ ସୁଧାର ହେବାରେ ଲାଗିଛି । କିନ୍ତୁ ଏନେଇ ଗଣମାଧ୍ୟମ ପ୍ରତିନିଧି ପଚାରିବାରୁ କିଛି କହିବାକୁ ମନା କରିଦେଇଥିଲେ ରୋଗୀ ଓ ତାଙ୍କ ପରିବାର ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/33-20.jpg)