ପାକିସ୍ତାନରେ ବି ଅଛି ଲାଲକିଲ୍ଲା । ୧୫୫୯ ମସିହାରେ ହୋଇଥିଲା ନିର୍ମାଣ ।

155

କନକ ବ୍ୟୁରୋ: ଆମ ଦେଶର ରାଜଧାନୀ ଦିଲ୍ଲୀରେ ଆମେ ଲାଲକିଲ୍ଲାକୁ ଦେଖୁଥାଉ । ଏହାକୁ ଆମ ଦେଶର ଏକ ଐତିହ୍ୟ, ଗୌରବ ଓ ସମ୍ମାନର ପ୍ରତୀକ ବୋଲି କୁହାଯାଏ । ପ୍ରତିବର୍ଷ ଆମ ଦେଶର ପ୍ରଧାନମନ୍ତ୍ରୀ ଏଠାରୁ ଦେଶର ଜାତୀୟ ପତାକା ଉତୋଳନ କରନ୍ତି । ହେଲେ ଭାରତ ଭଳି ପାକିସ୍ତାନରେ ମଧ୍ୟ ଲାଲକିଲ୍ଲା ଅଛି । ଯାହାକୁ ଦୀର୍ଘ ୪୬୨ ବର୍ଷ ପୂର୍ବେ ତିଆରି କରାଯାଇଥିଲା ବୋଲି ଆଜି ବି ଅନେକ ଲୋକଙ୍କୁ ଅଜଣା ।

ପାକିସ୍ତାନର ଲାଲକିଲ୍ଲା ଭାବେ ପରିଚିତ ଏହି ଦୁର୍ଗର ଅସଲ ନାଁ ହେଉଛି ମୁଜାଫରାବାଦ ଦୁର୍ଗ । ହେଲେ ଏହାର ନିର୍ମାଣ ଶୈଳୀ ଓ ଆକାରକୁ ଦେଖି ଏହାକୁ ପାକିସ୍ତାନର ଲାଲକିଲ୍ଲା ବୋଲି ବି କୁହାଯାଏ । ଏହା ବିଶାଳ ଦୁର୍ଗ ଦେଖିବାକୁ  ପାଖାପାଖି ଭାରତର ଲାଲକିଲ୍ଲା ଭଳି ହିଁ ଦେଖାଯାଇଥାଏ ।

ପାକିସ୍ତାନର ଏହି ଲାଲକିଲ୍ଲାକୁ ଚକବଂଶର ଶାସକମାନେ ମୋଗଲମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ୧୫୫୯ ମସିହାରେ ନିର୍ମାଣ କରିଥିଲେ । ହେଲେ ଏହା ସମ୍ପୂର୍ଣ୍ଣର୍  ନିର୍ମାଣ ହେବା ପୂର୍ବରୁ ୧୫୮୭ ମସିହାରେ ମୋଗଲମାନେ କବଜା କରିଦେଇଥିଲେ । ଏହାପରେ ବହୁ ବର୍ଷ ଧରି ଏହି ଦୁର୍ଗ ସେମିତି ଅଧାଗଢା ହୋଇ ରହିଥିଲା । ତେବେ ଏହା ପରର ଶାସକମାନେ ଏହାର ନିର୍ମାଣ କାମ ପୁଣି ଆରମ୍ଭ କରିବା ସହିତ ୧୬୪୬ ବେଳକୁ ଏହାର ନିର୍ମାଣ କାମ ଶେଷ ହୋଇଥିଲା ।

ପାକିସ୍ତାନର ଏହି ଲାଲକିଲ୍ଲା ଉପରେ ଅନେକ ବଂଶର ଶାସକ ନିଜର ଶାସନ କରିଥିଲେ । ୧୯୨୬ ମସିହା ପର୍ଯ୍ୟନ୍ତ ଡୋଗରା ବଂଶର ସେନା ଏହାକୁ ବ୍ୟବହାର କରୁଥିଲେ । ଏହାପରେ ପାକିସ୍ତାନ ସ୍ୱାଧୀନ ହେବା ପରେ ଏହି କିଲ୍ଲା ଅବହେଳିତ ହେବାକୁ ଲାଗିଥିଲା । ପାକିସ୍ତାନ ସରକାର ମଧ୍ୟ ଏହା ଉପରେ ସେତେଟା ଧ୍ୟାନ ଦେଇନଥିଲା । ଯେଉଁ କାରଣରୁ ଏହା ଆଜି ଧ୍ୱସଂ ହେବାକୁ ବସିଛି । ଗୁରୁତ୍ୱପୂଣ୍ଣ କଥା ହେଉଛି, ଚାରିପାଖରେ ନଦୀ ଥିବା ଏହି ଦୁର୍ଗ ଦେଖିବାକୁ ଖୁବ ସୁନ୍ଦର । ଏହାର ଚାରିପାଖକୁ ନୀଲମ ନଦୀ ଘେରି ରହିଛି । ଏହାସତ୍ତେ୍ୱ  ମଧ୍ୟ  ପାକିସ୍ତାନ ସରକାର ଏହାକୁ ଗୋଟିଏ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିପାରିନାହାନ୍ତି ।