କନକ ବ୍ୟୁରୋ : ପ୍ରତିଟି ଲୋକ ପାଖରେ କିଛି ନିର୍ଦ୍ଧିଷ୍ଟ ସଉକ ରହିଥାଏ । କେହି ଚୁଟି ବଢାଇ ତ କେହି ନଖ ବଢାଇ ନିଜର ସଉକ ପୂରଣ କରିଥାନ୍ତି । ଅନ୍ୟପଟେ କେହି ଅଜବ ଧରଣର ପୋଷାକ ପିନ୍ଧିବାର ସଉକ ରଖିଥାନ୍ତି ତ କେହି ପୁରୁଷ ନିଜର ନିଶ ବଢାଇ ସଉକ ପୂରଣ କରିଥାନ୍ତି । ଏହି କ୍ରମରେ ଜଣେ ଲୋକ ନିଜର ନିଶ ପାଇଁ ପୋଲିସ ଚାକିରୀ ଛାଡି ଦେବା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ ।
ମଧ୍ୟ ପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ସମାନ ଘଟଣା । ଜଣେ କନେଷ୍ଟବଳ ନିଜର ନିଶ ପାଇଁ ପୋଲିସ କନେଷ୍ଟବଳ ଚାକିରୀ ଛାଡି ଦେଇଛନ୍ତି । କହିରଖୁ କି ଭୋପାଳରେ କନେଷ୍ଟବଳ ଚାକିରୀ କରୁଥିବା ରାକେଶ ରାଷା ଭୋପାଳ ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକଙ୍କ ସରକାରୀ ଗାଡିରେ ଡ୍ରାଇଭର ଭାବେ କାମ କରିନ୍ତି । ଟର୍ନ ଆଉଟ ଚେକ ବେଳେ ଜଣାପଡିଲା କି ରାକେଶ ଲମ୍ବା ଚୁଟି ସହ ଲମ୍ବା ନିଶ ରଖିଛନ୍ତି । ଏନେଇ ଚେକ୍ କରୁଥିବା ଅଧିକାରୀ ତୁରନ୍ତ ନିଶ ଓ ଚୁଟି କାଟିବାକୁ ରାକେଶଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ନିର୍ଦ୍ଦେଶକୁ ଅବମାନନା କରି ରାକେଶ ନା ଚୁଟି କାଟିଥିଲେ ନା ନିଶ ।
ସହାୟକ ପୋଲିସ ମହା ନିରୀକ୍ଷକଙ୍କ ଆଦେଶରେ ସ୍ପଷ୍ଟ ଉଲ୍ଲେଖ ଥିଲା କି, ‘ଆରକ୍ଷକ ଚାଳକ ୧୫୫୫ ରାକେଶ ରାଣା, ଏମଟି ପୁଲ, ଭୋପାଳ , ଯିଏ କି ବିଶେଷ ପୋଲିସ ମହାନିର୍ଦ୍ଦେଶକଙ୍କ ଗାଡି ଚାଳକ ଭାବେ କାର୍ଯ୍ୟରତ , ଟର୍ନ ଆଉଟ୍ ଚେକ ବେଳେ ଜଣାପଡିଛି କି ତାଙ୍କର ଚୁଟି ବଡ ଓ ନିଶକୁ ଏକ ଅଜବ ଢଙ୍ଗରେ ଡିଜାଇନ କରିଛନ୍ତି । ଏହା ଏକ ପୋଲିସ କର୍ମୀର ସାଜସଜ୍ଜା ନୁହେଁ, ତେଣୁ ତୁରନ୍ତ ଠିକ ଢଙ୍ଗରେ ଚୁଟି ଓ ନିଶ କାଟିବାକୁ ତାଙ୍କୁ ନିର୍ଦ୍ଦେର୍ଶ ଦିଆଗଲା’
ହେଲେ ଏଭଳି ନିର୍ଦ୍ଦେଶ ପାଇବା ପରେ ବି ରାକେଶ ରାଣା ନିଜ ଷ୍ଟାଇଲର ପରିବର୍ତ୍ତନ କରିନଥିଲେ । ଏନେଇ ଆଦେଶ ଅବମାନନା ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ ଆଦେଶରେ ଲେଖା ଯାଇଛି କି, ରାକେଶ ରାଣାଙ୍କୁ ଆଦେଶ ଜାରି କରାଯିବା ପରେ ବି ସେ ପୂର୍ବଭଳି ନିଶ ଓ ଚୁଟି ରଖିଛନ୍ତି ଯାହାକି ପୋଲିସ ୟୁନିଫର୍ମ ସେବାର ଅନୁଶାସନହିନତା କାର୍ଯ୍ୟ, ଏହା ଅନ୍ୟ କର୍ମଚାରୀଙ୍କ ପ୍ରତି ଖରାପ ପ୍ରଭାବ ପକାଉଛି । ଏଣୁ ଏହି କନେଷ୍ଟବଳଙ୍କୁ ତକ୍ରାଳ ପ୍ରଭାବରେ ନିଲମ୍ବିତ କରାଯାଉଛି ଓ ନିୟମ ମୁତାବକ ତାଙ୍କୁ ସରକାରଙ୍କ ତରଫରୁ ଜୀବନ ନିର୍ବାହ ଭତ୍ତା ପ୍ରଦାନ କରାଯିବ ।