ସଙ୍କଟମୋଚକଙ୍କ ବେଶରେ ଭିକ୍ଷା ମାଗି ସଙ୍କଟରେ ପଡିଗଲେ ଯୁବକ । ପୋଲିସ ଧରିଲା, ଜେଲ ପଠାଇଲା । ହେଲେ କାହିଁକି ?

9,570

କନକ ବ୍ୟୁରୋ : ସଙ୍କଟମୋଚକଙ୍କ ବେଶରେ ଭିକ୍ଷା ମାଗି ସଙ୍କଟରେ ପଡିଗଲେ ଯୁବକ । ପୋଲିସ ଧରିଲା, ଜେଲ ପଠାଇଲା । ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ଭିକ୍ଷା ବୃତ୍ତି ପାଇଁ ଯୁବକଙ୍କୁ ଜେଲ ପଠାଇବା କଥା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ଏହା ପଛରେ ଏକ ବଡ କାହାଣୀ ଲୁଚି ରହିଛି ।

ସୂଚନା ଅନୁଯାୟୀ, ପ୍ରଭୁ ହନୁମାନଙ୍କ ବେଶରେ ଥିବା ଏହି ଯୁବକ ଜଣକ ହେଉଛନ୍ତି ମୁରଦାବାଦର ମହମ୍ମଦ ନସିମ । ମୁସଲିମ ସମ୍ପ୍ରଦାୟର ଏହି ଯୁବକ ହନୁମାନଙ୍କ ବେଶରେ ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷା ମାଗୁଥିଲେ । କିନ୍ତୁ ଗତ କିଛି ଦିନ ହେବ ବରେଲିର ଅନୁପମ ନଗର ଅଞ୍ଚଳରେ ନସିମଙ୍କୁ ହନୁମାନଙ୍କ ବେଶରେ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନସିମ ହନୁମାନଙ୍କ ବେଶରେ ଉକ୍ତ ଅଞ୍ଚଳରେ ରେକି କରୁଥିଲା । ଏପରିକି ବିଭିନ୍ନ ସଦିଗ୍ଧ କାର୍ଯ୍ୟକଳାପ ସଂପୃକ୍ତ ଥିବା ଜାଣିବା ପରେ ସ୍ଥାନୀୟ ଲୋକ ନସୀମଙ୍କୁ ଧରିବା ସହ ପୋଲିସର ଜିମା ଦେଇଥିଲେ । ବେଶ ବଦଳାଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ନସୀମଙ୍କୁ ଗିରଫ କରିଥିଲା ।

ତେବେ ନସିମଙ୍କ କହିବା ଅନୁଯାୟୀ, ପେଟପାଟଣା ପାଇଁ ସେ ପୂର୍ବରୁ ଲୈଲା-ମଜନୁ ବେଶରେ ଭିକ ମାଗୁଥିଲେ । କିନ୍ତୁ ପ୍ରଥମ ଥର ପାଇଁ ହନୁମାନଙ୍କ ବେଶରେ ଭିକ ମାଗି ଫଶିଯାଇଛନ୍ତି । ଏହାସହ ପୋଲିସ ଅଭିଯୁକ୍ତ ନସିମଙ୍କ ଠାରୁ ଏକ ଆଧାରକାର୍ଡ ଜବତ କରିଥିବା ବେଳେ ତାଙ୍କର ଆଉ ଜଣେ ସାଥୀ ଏଯାଏଁ ଫେରାର ରହିଛି ।