କନକ ବ୍ୟୁରୋ: ରାକ୍ଷୀ ବ୍ୟବସାୟରେ ମୁସଲିମ ଯୁବତୀ । ହାତରେ ତିଆରି କରୁଛନ୍ତି ଜଗନ୍ନାଥ ରାକ୍ଷୀ । ନିଜେ ବି ପାଳୁଛନ୍ତି ରାକ୍ଷୀ ପୂର୍ଣ୍ଣିମା । ଭାଇଚାରାର ସହରରୁ ଆସିଲା ଭଲ ଖବର । ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ଭଉଣୀ ବାନ୍ଧିଦେବ ସ୍ନେହର ଡୋରୀ । ସେଥିପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି ଗାଁରୁ ସହର । ହିନ୍ଦୁ ଧର୍ମରେ ଭାଇ-ଉଭଣୀଙ୍କ ପାଇଁ ଏହି ପର୍ବ ସ୍ବତନ୍ତ୍ରତା ରଖୁଥିବା ବେଳେ ଜଗନ୍ନାଥ ସଂସ୍କୃତିରେ ମଧ୍ୟ ରକ୍ଷା ବନ୍ଧନର ଗୁରୁତ୍ୱ ରହିଛି । କିନ୍ତୁ ମୁସଲିମ୍ ସଂପ୍ରଦାୟର ହୋଇ ମଧ୍ୟ ଜଣେ ଯୁବତୀ ନିଜେ ରାକ୍ଷୀ ତିଆରି କରି ଏହି ପର୍ବ ପାଳନ କରୁଛନ୍ତି । ଆଉ ହିନ୍ଦୁ ଭାଇମାନଙ୍କ ପାଇଁ ରାକ୍ଷୀ ତିଆରି ଏବେ ଏହି ମୁସଲମାନ ଭଉଣୀ ଚର୍ଚ୍ଚାରେ ରହିଛନ୍ତି ।

ମୁସଲିମ୍ ସମ୍ପ୍ରଦାୟରେ ରାକ୍ଷୀବନ୍ଧା ପର୍ବ ନଥିଲେ ମଧ୍ୟ ଭାଇଚାରାର ସହର କଟକରେ ଏମିତି ନିଆରା ଘଟଣା ଦେଖିବାକୁ ମିଳିଛି । କଟକ ଷ୍ଟେସନ ବଜାର ମଠସାହି ଅଞ୍ଚଳର ସବିହା ସୁମ୍ବୁଲ ରେଭେନ୍ସାରେ ପାଠପଢା ସାରି ଏବେ ଅଧ୍ୟାପନା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସବିହା ଜଣେ ଚିତ୍ରଶିଳ୍ପୀ ହୋଇଥିବାରୁ ୟୁଟ୍ୟୁବରୁ ରାକ୍ଷୀ ତିଆରି କୌଶଳ ଶିଖି ଚମକ୍ରାର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ଅନଲାଇନରେ ବିକ୍ରି ମଧ୍ୟ କରୁଛନ୍ତି । ତେବେ ଏହି ମୁସଲମାନ ଭଉଣୀଙ୍କ ହାତ ତିଆରି ରାକ୍ଷୀର ଚାହିଦା ଅଧିକ ଥିବାରୁ ସେ ସବୁଦିନ ଭିନ୍ନ ଭିନ୍ନ ପ୍ରକାରର ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ସବିହାଙ୍କ ପାଖରେ ୧୬ରୁ ୧୭ ପ୍ରକାର ରାକ୍ଷୀ ଉପଲବ୍ଧ ଥିବା ବେଳେ ଫୁଲ ରାକ୍ଷୀଠୁ ଆରମ୍ଭ କରି ଜଗନ୍ନାଥ ରାକ୍ଷୀ ଯାଏଁ ସେ ପ୍ରସ୍ତୁତ କରୁଛନ୍ତି ।

ତେବେ ଗ୍ରାହକଙ୍କ ଅର୍ଡର ଅନୁସାରେ ଭେରାଇଟିର ରାକ୍ଷୀ ତିଆରି କରୁଛନ୍ତି ସବିହା । ଫଟୋ ରାକ୍ଷୀ, ରେଡିୟମ ରାକ୍ଷୀ, ଲାଇଟ ରାକ୍ଷୀ, ମୟୂର ଚନ୍ଦ୍ରିକା ରାକ୍ଷୀ, ନାଁ ଲେଖା ରାକ୍ଷୀ, କାର୍ଟୁନ ରାକ୍ଷୀ, ଷ୍ଟିକର ରାକ୍ଷୀ, ବ୍ରେସଲେଟ୍ ରାକ୍ଷୀ ଭଳି ବିଭିନ୍ନ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ରାକ୍ଷୀର ଦାମ ୩୦ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଯାଏଁ ରହିଛି। ତେବେ ସବୁଠୁ ମଜା କଥା ହେଉଛି କିଛି ରାକ୍ଷୀ ଏମିତି ବି ଅଛି ଯାହା ରାକ୍ଷୀ ପରେ ଚାବି ରିଂର ବି କାମ ଦେବ ।

ଖାଲି ମଣିଷଙ୍କ ପାଇଁ ନୁହେଁ ଗୃହପାଳିତ ପଶୁମାନଙ୍କ ପାଇଁ ବି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ସୁମ୍ବୁଲ । ‘ସପ୍ ଫର୍ ଏ କଜ୍’ର ନାରା ଦେଇ ସୁମ୍ବୁଲ ଏହି ବ୍ୟବସାୟ କରୁଥିବା ବେଳେ ଏଥିରୁ ଯେଉଁ ଟଙ୍କା ରୋଜଗାର ହୁଏ ସେଥିରେ ଗାଈ ଗୋରୁ, ବୁଲା କୁକୁର, ବିଲେଇକୁ ଖାଇବାକୁ ଦିଅନ୍ତି । ସବିହା ସୁମ୍ବୁଲଙ୍କୁ ଏହି କାମରେ ତାଙ୍କ ପରିବାର ଲୋକ ସହଯୋଗ କରୁଥିବା ବେଳେ ରାକ୍ଷୀ ପ୍ରସ୍ତୁତ କରି ସେ କଟକରେ ଏତେ ଚର୍ଚ୍ଚାରେ ଅଛନ୍ତି ।